ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶାର ପ୍ରାଚୀନ ପରମ୍ପରା ହେଉଛି ଦଣ୍ଡ ଯାତ୍ରା। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଯାତ୍ରାକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ। ପ୍ରତିବର୍ଷ ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସରେ ଏହି ସାଂସ୍କୃତିକ ପର୍ବ ପାଳନ କରାଯାଇଥାଏ। ପରମ୍ପରା ଅନୁସାରେ ଦଣ୍ଡ ଯାତ୍ରା ଯେଉଁମାନେ ପ୍ରଦର୍ଶନ କରିଥାନ୍ତି, ସେମାନଙ୍କୁ ଦଣ୍ଡୁଆ କୁହାଯାଏ।
ଦଣ୍ଡ ଯାତ୍ରା ଓ ଦଣ୍ଡୁଆ
ଦଣ୍ଡ ଯାତ୍ରା ହେଉଛି ଏକ ପ୍ରାଚୀନ ଉତ୍ସବ ଓ ପରମ୍ପରା। ମହା ବିଷୁବ ସଂକ୍ରାନ୍ତି ଆରମ୍ଭର ୨୧ କିମ୍ବା ୧୩ ଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇଯାଇଥାଏ। ଦଣ୍ଡୁଆମାନେ ଯନ୍ତ୍ରଣାଦାୟକ ନୃତ୍ୟ ପରିବେଷଣ କରି ଭଗବାନ ଶିବ ଓ କାଳିଙ୍କୁ ପୂଜା କରିଥାନ୍ତି। ସେମାନେ ଯାତ୍ରା ସମୟରେ ନିଜର ପରିବାର ଲୋକଙ୍କଠାରୁ ଅଲଗା ରହିବା ସହ ଦିନରେ ଗୋଟିଏ ଥର ଖାଦ୍ୟ ଖାଇଥାନ୍ତି। ଦଣ୍ଡ ଯାତ୍ରା ତିନି ପ୍ରକାରର ହୋଇଥାଏ ଯଥା ପାଣି ଦଣ୍ଡ, ଧୂଳି ଦଣ୍ଡ, ଅଗ୍ନି ଦଣ୍ଡ।
ଧୂଳିଦଣ୍ଡ ପ୍ରଦର୍ଶନ କଲାବେଳେ ଦଣ୍ଡୁଆମାନେ ଗାଁ ଦାଣ୍ଡରେ ଧୂଳି ବାଲିରେ ଗଡ଼ିଥାନ୍ତି। ପରେ ପାଣି ଦଣ୍ଡ ନିୟମ ଅନୁସାରେ, ସୂର୍ଯ୍ୟାସ୍ତ ସମୟରେ ଗାଁ ଗୁଡ଼ିକରେ ଥିବା ପୋଖରୀରେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ରହି ପୂଜା କରିଥାନ୍ତି। ଶେଷର ହୋଇଥାଏ ଅଗ୍ନିଦଣ୍ଡ। ଏହି ଦଣ୍ଡ ମୁଖ୍ୟତଃ ମଧ୍ୟରାତ୍ରୀରୁ ଆରମ୍ଭ ହୁଏ। ଦଣ୍ଡୁଆମାନେ ନିଜର ମାନସିକ ଅନୁସାରେ ଜୀବନକୁ ବାଜି ଲଗାଇ ନିଆଁରେ ଖେଳି କାଳୀ ଓ ଶିବଙ୍କୁ ଏକାଠି ପୂଜା କରିଥାନ୍ତି।
ଦଣ୍ଡୁଆ ମାନେ କମଳା ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି। ଖାଲି ପାଦରେ ଗାଁ କୁ ଗାଁ ବୁଲିଥାନ୍ତି। ଦଣ୍ଡୁଆ ଗୋଷ୍ଠୀମାନଙ୍କରେ ଜଣେ ଲେଖାଏଁ ମୁଖ୍ୟ ରହିଥାନ୍ତି। ସେମାନଙ୍କୁ ‘ପଟ୍ଟ ଦଣ୍ଡୁଆ’ କୁହାଯାଇଥାଏ। ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ଦଣ୍ଡୁଆମାନେ ପରିଚାଳିତ ହୋଇଥାନ୍ତି। ଦେବୀ ମା’ଙ୍କୁ ପ୍ରଶନ୍ନ କରିବାରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ପଟ୍ଟ ଦଣ୍ଡୁଆ। ଦଣ୍ଡଯାତ୍ରାର କଠିନ ରୀତିନୀତି ସତ୍ତ୍ୱେ ପ୍ରତିବର୍ଷ ଅନେକ ସଂଖ୍ୟକ ଭକ୍ତ ଏଥିରେ ସାମିଲ ହୋଇଥାନ୍ତି।
କିମ୍ବଦନ୍ତୀରେ ଦଣ୍ଡ ଯାତ୍ରା
ଦଣ୍ଡ ଯାତ୍ରା ପ୍ରାୟତଃ ୪ଶହ ବର୍ଷ ପୁରୁଣା। କିମ୍ବଦନ୍ତୀ ଅନୁସାରେ, ରାଜା ରାଜୁଡ଼ାଙ୍କ ଶାସନ ସମୟରେ ଏହି ପର୍ବର ଆରମ୍ଭ ହୋଇଥିଲା। ସେମାନେ ଲୋକଙ୍କଠାରୁ ଟିକସ ଭାବେ ପାଣ୍ଠି ଆଦାୟ କରି ମନ୍ଦିର ତିଆରି କରୁଥିଲେ। ଯେଉଁମାନେ ଟିକସ ଦେଇପାରୁନଥିଲେ, ସେମାନଙ୍କୁ ଗରମ ବାଲିରେ ଚଲାଉଥିଲେ ଏବଂ ପାଣିରେ ବୁଡ଼ିକି ରହିବାକୁ କହୁଥିଲେ। ଏତେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକମାନେ କାଳୀ ମା’ଙ୍କୁ ପ୍ରାର୍ଥନା କରୁଥିଲେ। ଧିରେଧିରେ ଏହା ଏକ ପର୍ବ ଓ ପରମ୍ପରାରେ ପରିଣତ ହେଲା ବୋଲି ଜାଣିବାକୁ ମିଳୁଛି।
ଚଳିତ ବର୍ଷ ଗଞ୍ଜାମରେ ଦଣ୍ଡଯାତ୍ରାକୁ ନେଇ ଗାଇଡଲାଇନ ଜାରି
ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରାକୁ ଅନୁମତି ଦେଇଛନ୍ତି ସ୍ଥାନୀୟ ଜିଲ୍ଲାପ୍ରଶାସନ। ଏହି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି। କେବଳ ଦଣ୍ଡୁଆଙ୍କୁ ନେଇ ଦଣ୍ଡ ଯାତ୍ରା କରିବାକୁ କୁହାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି। ୨ ଶହ ଲୋକଙ୍କୁ ନେଇ ମାନସିକ ଦଣ୍ଡଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବାହାର ଲୋକ ସାମିଲ ହେବେନାହିଁ, ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ ନଯିବାକୁ କୁହାଯାଇଛି। ପୂଜାରେ ପ୍ରସ୍ତୁତ ହେଉଥିବା ଅନ୍ନ ଭୋଗକୁ ସାଧାରଣରେ ବଣ୍ଟା ଯିବନାହିଁ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ଦଣ୍ଡ ଯାତ୍ରା ସମୟରେ କଟକଣା ଉଲଙ୍ଘନ କରାଯାଉଛି କି ନାହିଁ, ତା’ର ତଦାରଖ କରିବେ ସ୍ଥାନୀୟ ପ୍ରଶାସନ।