ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ବୁଧବାର ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଶିମିଳିପାଳ ନିକଟ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସେହି ସମୟରେ ଜଣେ ବନ କର୍ମଚାରୀ ବର୍ଷାକୁ ଦେଖି ଖୁସିରେ ବିଭୋର ହୋଇ ନାଚି ଉଠିଥିଲେ। ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବର୍ଷା ହେଲାରେ, ମୁଁ ବହୁତ ଖୁସି। ନିଆଁ ଲିଭିଗଲା, କହି ନାଚି ଉଠିଥିଲେ ବନ ବିଭାଗର ଜଣେ ମହିଳା କର୍ମଚାରୀ। ସେ ହେଉଛନ୍ତି ପିଠାବଟା ରେଞ୍ଜରେ କାର୍ଯ୍ୟରତ ବନପାଳ ସ୍ନେହା ଧଳ। ବର୍ଷାରେ ଭିଜି, ଆକାଶକୁ ଚାହିଁ ଖୁସିରେ ନାଚୁଥିବା ସ୍ନେହା ଚିତ୍କାର କରି କହୁଥିଲେ ମୋ ଅଞ୍ଚଳରୁ ନିଆଁ ଲିଭିଗଲା। ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଉଥିବା ବନ କର୍ମଚାରୀଙ୍କୁ ଏ ବର୍ଷା କେତେ ଖୁସି ଦେଇଥିଲା, ତାହା ସ୍ନେହାଙ୍କ କେଇ ପଦ କଥାରୁ ବାରି ହୋଇପଡ଼ୁଥିଲା। ବର୍ଷା ହେବାଫଳରେ ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ ଆଶା ସୃଷ୍ଟି କରିଛି।

କେମିତି ବନବିଭାଗରେ ଯୋଗ ଦେଇଥିଲେ ସ୍ନେହା

ଜଙ୍ଗଲକୁ ଭଲ ପାଉଥିବା ସ୍ନେହା, ପ୍ରଥମେ ଜଣେ ପିଟି ମାଷ୍ଟର ହେବାପାଇଁ ଚାହୁଁଥିଲେ। ତାଙ୍କର ପିଲାବେଳୁ ଖେଳକୁଦରେ ରୁଚି ରହିଥିଲା । ତେଣୁ ସେ ଚାହୁଁଥିଲେ ବଡ ହେଲେ ପିଟି ମାଷ୍ଟର ହେବେ। କିନ୍ତୁ ସେ ଚାକିରି କରିବା ଆଶାରେ ବନ ବିଭାଗର ଫର୍ମ ପକେଇଥିଲେ ଏବଂ ସେଥିରେ ନିଯୁକ୍ତି ପାଇଲେ। ପ୍ରଥମେ ସ୍ନେହାଙ୍କର ନିଯୁକ୍ତି ପିଠାବଟା ରେଞ୍ଜରେ ହୋଇଥିଲା। ସେହି ସମୟରେ ଘଞ୍ଚ ଜଙ୍ଗଲକୁ ଦେଖି ସେ ଚାକିରୀ ଛାଡ଼ି ଦେବାକୁ ସ୍ଥିର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲେ। ଚାକିରିର କିଛିଦିନ ପରେ ସ୍ନେହା ତାଲିମ ପାଇଁ ଯାଇଥିଲେ। ତା’ପରଠାରୁ ତାଙ୍କର ଏ ଦିଗ ପ୍ରତି ଇଚ୍ଛାଶକ୍ତି ବଢ଼ିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ନିଷ୍ଠାର ସହ କାମ କରିଆସୁଛନ୍ତି ସ୍ନେହା। ଏବେ ସେ ନିଜର ୫ବର୍ଷର ଝିଅ ଓ ମା’ଙ୍କ ସହ ପିଠାବଟାରେ ରହୁଛନ୍ତି।

ନିଆଁ ଲାଗିବାପରେ କ’ଣ କରିଥିଲେ

ଶିମିଳିପାଳରେ ନିଆଁ ଲାଗିଥିବା ଖବର ପାଇ ପ୍ରଥମେ ସ୍ନେହା କାନ୍ଦି ପକାଇଥିଲେ। ସେ ଭାବିଲେ, ଜଙ୍ଗଲରେ ଏତେ ପଶୁପକ୍ଷୀ ନିଆଁ କବଳରୁ କେମିତି ରକ୍ଷା ପାଇବେ। ସବୁ କ୍ଷଣକରେ ନଷ୍ଟ ହୋଇଯିବ ଏବଂ ଜୀବଜନ୍ତୁ ଚାରିଆଡ଼େ ହୋଇଯିବେ। ତାଙ୍କ ଅଧିନରେ ଥିବା ଜଙ୍ଗଲରେ ଯେଭଳି ନିଆଁ ନ ବ୍ୟାପୁ, ସେଥିପାଇଁ ଚେଷ୍ଟା କରିଥିଲେ।
ଖବରପାଇବା ପରେ, ସେ କର୍ମଚାରୀମାନଙ୍କ ସହ ୪ କି.ମି ଚାଲିକି ଯିବାପରେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିଥିଲେ। ସ୍ନେହା ଓ ତାଙ୍କ ଟିମ୍ ସେଠାରେ ତିନି ଭାଗରେ ବିଭକ୍ତ ହୋଇ ନିଆଁ ଲିଭେଇବାରେ ଲାଗିଲେ। କିଛି ସମୟ ଲିଭାଇବା ପରେ ଅପରାହ୍‌ଣ ସମୟରେ ବର୍ଷା ହୋଇଥିଲା। ବର୍ଷାକୁ ଦେଖି ଭଗବାନଙ୍କୁ ଡାକିବା ସହ, ସେ ଖୁସିରେ ନାଚି ଉଠିଥିଲେ। ସେହି ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଲୋକମାନଙ୍କୁ ସବୁବେଳେ ଏସମ୍ପର୍କରେ ସଚେତନ କରାଉଛୁ। କିଛି ଲୋକ ବୁଝୁଥିବାବେଳେ, ଆଉ କିଛି ଲୋକ ରାତିରେ ନିଆଁ ଲଗାଇ ଦେଉଛନ୍ତି। ଏମିତିକି ଅନେକ ସମୟରେ ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିଥାଏ କହିଛନ୍ତି ସ୍ନେହା।

ଅନ୍ୟପକ୍ଷରେ ଶିମିଳିପାଳ ନିଆଁ ସ୍ଥିତି ଯାଞ୍ଚ କରିବାକୁ ରାଜ୍ୟରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍। କାହିଁକି ନିଆଁ ଲାଗିଛି, ତା’ର କାରଣ ଓ ନିରାକରଣ ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦେବା ସହ ରାଜ୍ୟ ବନବିଭାଗକୁ ପରାମର୍ଶ ଦେବ।

Comment