ଓଡ଼ିଶାଲାଇଭ୍‌ ବ୍ୟୁରୋ

କମିସନରେଟ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ୧୩ ବର୍ଷ ତଳର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏ ସମ୍ପର୍କରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

୨୦୦୮ ମସିହାରେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱରରେ ହତ୍ୟା କରାଯାଇଥିଲା। ପରବର୍ତ୍ତୀ ସମୟରେ ପଳାସୁଣି, ଚକେଇସିଆଣି ରୋଡ୍‌ରୁ ଏକ କାର୍‌ ଭିତରୁ ତାଙ୍କ ମୃତଦେହ ମିଳିଥିଲା। ସେ ସମୟରେ ଏହି ମାମଲର ତଦନ୍ତ କରି ୪ ଜଣଙ୍କୁ ଗିରଫ କରାଯାଇଥିଲା। ମାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନା ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସଫଳ ହୋଇଥିଲା।

ତେବେ ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା।

ଗତ ୧୩ ବର୍ଷ ହେଲା ମୁଖ୍ୟ ଅଭିଯୁକ୍ତ ପୁଣେରେ ରହିବା ସହିତ ଜଣେ ଜିମ୍ ଟ୍ରେନର ଭାବେ କାମ କରୁଥିଲା। ମଝିରେ ମଝିରେ ସେ ନିଜ ଘର ସହିତ ମଧ୍ୟ ସଂପର୍କରେ ରହୁଥିଲା। ପୋଲିସ ଏହାପରେ ଛାନଭିନ୍ କରି ତାକୁ ଗିରଫ କରିଛି।

Comment