ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ନେତ୍ରୀ ଉପାସନା ମହାପାତ୍ର ଗିରଫ ହୋଇପାରନ୍ତି। ଟୁଇନ ସିଟି ପୋଲିସ ତାଙ୍କୁ ଖୋଜୁଛି। ଆଇଆରସି ଭିଲେଜରେ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ପ୍ରଣବ ରାୟ ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ କମିସନରେଟ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ଉପାସନାଙ୍କୁ ଧରିବା ପାଇଁ ତିନିଟି ପୋଲିସ ସ୍କ୍ୱାଡ୍‌ ଗଠନ କରାଯାଇଛି। ଡିସିପି କହିଛନ୍ତି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗକାରୀ ଉପାସନାଙ୍କ ବ୍ୟତୀତ ମାହାଙ୍ଗାର ଶାରଦା ପ୍ରଧାନଙ୍କ ନାମ ଏତଲାରେ ଉଲ୍ଲେଖ କରିଛନ୍ତି। ଭଡ଼ାରେ ରହୁଥିବା ପ୍ରଣବ ରାୟ ୩୦ ଜଣଙ୍କ ନାମରେ ଏତଲା ଦେଇଥିବା କଥା ପୋଲିସ କହିଛି।

ଶାରଦା ପ୍ରଧାନଙ୍କ ଗିରଫ ଦାବିରେ ବିଜେଡି କର୍ମୀମାନେ ନିକଟରେ ପୋଲିସ କମିସନରେଟ ଆଗରେ ଧାରଣାରେ ମଧ୍ୟ ବସିଥିଲେ।

ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ସ୍ୱର୍ଗତଃ ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା କିଛି ମାସ ତଳେ ବିଜେପିରେ ଯୋଗ ଦେଇଥିଲେ। ନିକଟରେ ତାଙ୍କର ବିବାହ ହୋଇଥିଲା।

Comment