ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ଥିମ ‘ସମନ୍ୱିତ ଚାଷ : ଚାଷୀର ବିକାଶ’କୁ ନେଇ ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆରେ ଚାଲିଛି କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’। ଓଡ଼ିଶାରେ କୃଷକମାନଙ୍କ ପାଇଁ ଏହା ହେଉଛି ଏକ ସଫଳ ମହୋତ୍ସବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗୀତାରେ ଆୟୋଜନ କରାଯାଇଛି ଏହି ମହୋତ୍ସବ। ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ବିଭାଗୀୟ ମନ୍ତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ‘ବଳରାମ ଯୋଜନା’ ସମ୍ପର୍କରେ ଏକ ପୁସ୍ତକର ଉନ୍ମୋଚନ କରାଯାଇଥିଲା।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସମ୍ମାନିତ ଅତିଥିଭାବେ ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ଇମେଜର ନିର୍ଦ୍ଦେଶକ ପ୍ରଦୀପ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ସ୍ୱାଗତ ଅଭିଭାଷଣରେ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଗୋଟିଏ ପ୍ରକାର ଚାଷ ନକରି, ସମନ୍ୱିତ ପ୍ରଣାଳୀରେ ଚାଷ କରିବାକୁ ଚାଷୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ଚାଷୀ କିଭଳି ସମନ୍ୱିତ ଚାଷ କରି ନିଜର ଆୟକୁ ବହୁଗୁଣିତ କରିପାରିବ ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ। ସେ କହିଥିଲେ ଏହି କୃଷି ଓଡ଼ିଶା-୨୦୨୧ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର କୃଷକମାନଙ୍କୁ ସଶକ୍ତ କରିବା।

କୃଷି ଓଡ଼ିଶାର ଚତୁର୍ଥ ସନ୍ଧ୍ୟାରେ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ ଯୋଗଦେଇ କହିଥିଲେ, “ସମନ୍ୱିତ ଚାଷ କରି ଜଣେ ଚାଷୀ ନିଜେ ଚଳିବା ସହ ଅନ୍ୟ ଚାଷୀଙ୍କୁ ଏଥିପ୍ରତି ଆକୃଷ୍ଟ କରୁଛି । ପୂର୍ବରୁ ଜଣେ ଚାଷୀ ନିଜର ଆବଶ୍ୟକତା ଅନୁସାରେ ଚାଷ କରୁଥିଲା। କିନ୍ତୁ ଏବେ ଚାଷୀ ଓ ଚାଷର ପରିଭାଷାରେ ପରିବର୍ତ୍ତନ ହୋଇଛି। ଗ୍ରାହକଙ୍କୁ ଉନ୍ନତମାନର ଖାଦ୍ୟ ସାମଗ୍ରୀର ଆବଶ୍ୟକତା ରହିଛି ।”

ଶେଷରେ ଇମେଜର ନିର୍ଦ୍ଦେଶକ ପ୍ରଦୀପ କୁମାର ରଥ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା। କୃଷି ଓଡ଼ିଶା ଅବସରରେ ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଠଶାଳାର ମୁଖ୍ୟ ଅକର୍ଷଣ ଥିଲା ଚାଷୀଙ୍କର ଅଧିକ ଆୟ ପାଇଁ ଫସଲ ବିବିଧିକରଣ, ପରିବର୍ତ୍ତିତ ଜଳବାୟୁ ଏବଂ ପୁଷ୍ଟି ସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ।

LEAVE A REPLY

Please enter your comment!
Please enter your name here