ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା ୨୦୨୧’ ପ୍ରଥମ ସନ୍ଧ୍ୟାରେ କୃତି ଚାଷୀ ଭାବେ ସମ୍ମାନିତ ହୋଇଥିଲେ କଳାହାଣ୍ଡିର ୭୫ ବର୍ଷୀୟ ଜହ୍ନୁ ବିଶି।

ନାଁ ଜହ୍ନୁ ବିଶି, ବୟସ ୭୫, ଘର କଳାହାଣ୍ଡି। ନା କାନକୁ ଠିକରେ ଶୁଭୁଛି, ନା ଦେହରେ ବଳ ଅଛି। ତାଙ୍କର ଚାଷକାମ ପ୍ରତି ଥିବା ଭଲ ପାଇବା ଆଗରେ ହାର ମାନିଛି ବୟସ। ହେଲେ ଏହି ପରିଣତ ବୟସରେ ବି ସେ ଚାଷ କରି ସଫଳ ହୋଇପାରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନୂଆଗୁଡ଼ା ଗାଁର ଏହି ସଫଳ ଚାଷୀ ଜହ୍ନୁ ବିଶିଙ୍କୁ ଓଡ଼ିଶାଲାଇଭ୍‌ ଟିମ୍‌ ଭେଟିଥିଲା ‘କୃଷି ଓଡ଼ିଶା ୨୦୨୧ରେ’। ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଜହ୍ନୁ ବିଶିଙ୍କୁ ‘କୃତି ଚାଷୀ’ ଭାବେ ସମ୍ମାନିତ କରାଯାଇଛି। ମାନପତ୍ର ଉପଢୌକନ ସହିତ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି କୃଷି ଓ କୃଷକ ସଶକ୍ତକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଅନ୍ୟପଟେ ‘କୃଷି ଚାଷୀ’ ଭାବେ  ସମ୍ମାନିତ ହେବା ପରେ ଏହା ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ଜହ୍ନୁ ବିଶି।

ଜହ୍ନୁ ବିଶି ଖାଲି ଜଣେ ଚାଷୀ ନୁହଁନ୍ତି, ସେ ଜଣେ ଶିକ୍ଷକ ମଧ୍ୟ ଥିଲେ। ଏହାସହିତ ବିଭିନ୍ନ ପ୍ରସଙ୍ଗରେ କବିତା ଲେଖି ବେଶ୍‌ ପ୍ରଶଂସା ମଧ୍ୟ ପାଇଛନ୍ତି। କେବଳ ଏତିକି ନୁହେଁ ସେ ଜଣେ ସାମାଜିକ କର୍ମୀ ମଧ୍ୟ। ଜହ୍ନୁ ବିଷି ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତି। ତାଙ୍କ ଅଞ୍ଚଳର ପ୍ରାୟ ଗ୍ରାମକୁ ଯାଇ ରାସ୍ତାଘାଟ ସଫା କରିବା  ସହିତ ଗଛ ଲଗାନ୍ତି ଓ ଲୋକଙ୍କୁ ସଚେତନ କରାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ, ପ୍ରକୁତି ମିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଏହାସହ ଚଳିତବର୍ଷ କଳାହାଣ୍ଡି ବରପୁତ୍ର ସମ୍ମାନ ମଧ୍ୟ ପାଇଛନ୍ତି ଜହ୍ନୁ ବିଶି।

‘‘ଚାଷ ହିଁ ମୋ ଜୀବନ। ସ୍କୁଲରେ ଚାକିରି କରିବା ବେଳେ ବି ମୁଁ ସମୟ ବାହାର କରିକି ଚାଷ କାମ କରେ। ଏବେ ବି କରୁଛି। ଆଗକୁ ବି କରିବି। ଚାଷ ବିନା ରାଜ୍ୟର, ଦେଶର ଉନ୍ନତି ଅସମ୍ଭବ। ଚାଷୀ ଓ ଚାଷୀର ବିକାଶ ହେଲେ ଦେଶର ବିକାଶ ହେବ। ତେଣୁ ଚାଷ ପ୍ରତି ମୋର ଆଗ୍ରହ ରହିଛି ଅନ୍ୟମାନେ ବି ଚାକିରି ପଛରେ ନଗୋଡ଼େଇ ଭଲ ଚାଷ କରି ନାଁ କରିପାରିବେ’’, କହିଛନ୍ତି ଜହ୍ନୁ ବିଶି।

ଜହ୍ନୁ ବିଶି ଏବେ ଧାନଠାରୁ ଆରମ୍ଭ କରି ପନିପରିବା, ମାଛଠାରୁ ଆରମ୍ଭ କରି ମୁଗ ବିରି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଜହ୍ନୁ ତାଙ୍କର ଏହି କାମରେ ସାହର୍ଯ୍ୟ କରୁଛନ୍ତି ତାଙ୍କ ପୁଅ ସୁରେନ୍ଦ୍ର କୁମାର ବିଶି।

ସୁରେନ୍ଦ୍ର ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ନିଜେ ମଧ ଆଗ୍ରୋ ବିଜନେସ୍‌ କରୁଛନ୍ତି। ବିଭିନ୍ନ ପ୍ରକାର ବିହନ ଓ ସାର ବ୍ୟବସାୟ କରୁଛନ୍ତି ସେ।

ସୁରେନ୍ଦ୍ରଙ୍କ କହିବା ଅନୁଯାୟୀ ଧାନ ଚାଷରେ ତାଙ୍କର ବାର୍ଷିକ ୨ ଲକ୍ଷ ଲାଭ ହେଉଛି। ସେହିପରି ପନିପରିବ ଚାଷରେ ଲକ୍ଷେ, ମାଛ ଚାଷରେ ସମସ୍ତ ଖର୍ଚ୍ଚ ଯାଇ ୬୦ରୁ ୭୦ ହଜାର ଟଙ୍କା ଯାଏଁ ଲାଭ ମିଳୁଛି। ବାପାଙ୍କ ପରିଶ୍ରମ, ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ଆଜି ସେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

Comment