ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ନୂଆଦିଲ୍ଲୀ ଓଡ଼ିଆ ସମାଜ ପକ୍ଷରୁ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ପାଳିତ ହୋଇଛି। ପ୍ରଥମ ଥର ପାଇଁ ଏକ ଚମତ୍କାର ଓ ଅନନ୍ୟ ଢଙ୍ଗରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ କୋଭିଡ୍‌-୧୯ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ୨୭ ଏବଂ ୨୮ରେ ଦୁଇ ଦିନ ପାଇଁ ଆୟୋଜିତ ହୋଇଥିଲା।

ଏହି ଦୁଇ ଦିନିଆ ବିଶାଳ ସାଂସ୍କୃତିକ ମହାକୁମ୍ଭରେ ଭର୍ଚୁଆଲ ପ୍ଲାଟଫର୍ମରେ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମମାନ ହୋଇଥିଲା। ଉଦ୍‌ଘାଟନୀ ସନ୍ଧ୍ୟାରେ ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ଲକ୍ଷାଧିକ ଦର୍ଶକ ଏହି କାର୍ଯ୍ୟକ୍ରମ ଯୋଡ଼ି ହୋଇ ଓଡ଼ିଶାର ଅନନ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରାରେ ବିମୋହିତ ହୋଇଥିଲେ।

ନୂଆଦିଲ୍ଲୀ, ଓଡିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ‘ବନ୍ଦେ ଉତ୍କଳ ଜନନୀ’ରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଦିବସର ପ୍ରଥମ ସନ୍ଧ୍ୟା। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ର, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ନିଜର ବାର୍ତ୍ତା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,‘‘ଦେଶ ତଥା ବିଶ୍ୱରେ ଥିବା ଓଡ଼ିଆଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରିବା ଓ ସମସ୍ତଙ୍କୁ ଓଡ଼ିଆ ମାଟିର ଭାବାବେଗ ସହ ଯୋଡିବାରେ ଓଡ଼ିଆ ସମାଜର ଉଦ୍ୟମ ପ୍ରଶଂସାଯୋଗ୍ୟ। ଚଳିତବର୍ଷ କୋରନା ମହାମାରୀର ସୀମା ଭିତରେ ଆୟୋଜିତ ଭର୍ଚୁଆଲ ଓଡ଼ିଶା ପର୍ବରେ ଟେକ୍ନୋଲୋଜି ଜରିଆରେ ଭାବଗତ ସମ୍ପର୍କର ନୂଆ ସୁଯୋଗ ପାଇବାରେ ଆମେ ସକ୍ଷମ ହୋଇଛୁ। ଏହି ଓଡ଼ିଶା ପର୍ବ ଆମ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଓଡ଼ିଶାର ଅପହଞ୍ଚ ତୃଣମୂଳ ସ୍ତରର ନିରବ ସାଧକମାନଙ୍କଠାରୁ ବିଶ୍ୱର ସମୃଦ୍ଧ ଅଞ୍ଚଳ ପର୍ଯ୍ୟନ୍ତ ଯୋଡ଼ିବାରେ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ମୋର ଦୃଢ଼ ଆଶା’’।

ରଘୁନାଥ ମହାପାତ୍ର କହିଥିଲେ,‘‘ ନୂତନ ଓଡ଼ିଶାରେ ବେଶ୍ ପରିବର୍ତ୍ତନ ଘଟିଛି। ଉତ୍କଳର କଳାକୃତିକୁ ପ୍ରସିଦ୍ଧ କରିବାକୁ ହେଲେ ସ୍ଥପତି କଳାକୁ ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ପଡ଼ିବ। ଆମ ରାଜ୍ୟ ଓଡ଼ିଶାରେ କୋଣାର୍କସ୍ଥିତ ଇଣ୍ଟରପ୍ରିଟେସନ ସେଣ୍ଟରଠାରେ ପୁରାତନ ସ୍ଥାପତ୍ୟ କଳା, ଭାସ୍କର୍ଯ୍ୟ ପୁର୍ନରୁଦ୍ଧାର କରାଯିବା ସହ ବିଶ୍ୱ ଦର୍ଶକଙ୍କୁ ଏକ ପ୍ରାଚୀନ ଓଡ଼ିଶାର ଅନନ୍ୟ ତଥା ସୌନ୍ଦର୍ଯ୍ୟମୟ କଳା ସହ ପରିଚିତ କରାଇପାରିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶିଳ୍ପୀ ସମାଜର ସମୃଦ୍ଧି ହେବା ସହ ଏହି କଳା ମାଧ୍ୟମରେ ଓଡ଼ିଶାର ଇତିହାସ ଗୌରବମୟ ହେଉ’’।

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଥିଲେ ଯେ, ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଅଦମ୍ୟ ଜାତୀୟତାବାଦର ସଂରକ୍ଷଣ ତଥା ପ୍ରଚାର ପାଇଁ ଓଡ଼ିଆ ସମାଜ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛି। ଏହା ଜାଣିବା ଅତ୍ୟନ୍ତ ହୃହୟସ୍ପର୍ଶୀ ଯେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଆ ସମାଜ ରାଜ୍ୟର ବହୁ ପ୍ରତିଭାଙ୍କୁ ଆଣି ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପ୍ରଦାନ କରିଛି, ଯାହା ଓଡ଼ିଶାର ଅଦମ୍ୟ ଆତ୍ମାକୁ ପ୍ରଦର୍ଶନ କରୁଛି । ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଓଡ଼ିଶା ପର୍ବ, ରାଜ୍ୟ ବାହାରେ ବିଶେଷ କରି ଦିଲ୍ଲୀବାସୀଙ୍କ ମନରେ ଓଡ଼ିଶା ପ୍ରତି ଥିବା ଦୃଷ୍ଟିକୋଣରେ ଆଣିଛି ଏକ ନୂତନ ପରିବର୍ତ୍ତନ।

ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଥିଲେ,‘‘ଓଡ଼ିଶାର ପ୍ରାଚୀନ ଇତିହାସ ଓ ବିଶ୍ୱକୁ ଏହାର ଅବଦାନ ସମ୍ପର୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇବାକୁ ଆମର ଏହି ଉଦ୍ୟମ । ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଏବଂ ପ୍ରତ୍ୟେକ ଓଡ଼ିଆ ଜଣେ ଜଣେ ପାଇକ ଓ ସଂଗ୍ରାମୀ ।  ପ୍ରାଚୀନ ଓ ନୂତନ ଓଡ଼ିଶାର ଇତିହାସ ଏବଂ ସ୍ୱାଧିନତା ସଂଗ୍ରାମକୁ ଆମେ ଭୁଲିବା ନାହିଁ’’।

ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମଧୁମିତା ରାଉତ ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ପାଇଁ ଓଡ଼ିଶୀ ନୃତ୍ୟ ‘ଶାନ୍ତି ମନ୍ତ୍ର’ ପରିବେଷଣ କରାଯାଇଥିଲ।

ଏହାପରେ ଓଡ଼ିଶା ପର୍ବ ଉପରଆଧାରିତ ବୃତ୍ତଚିତ୍ର ‘ଅଦମ୍ୟ ଓଡ଼ିଶା’, ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ସମ୍ପର୍କିତ ପ୍ରାମାଣିକ ଚିତ୍ର ଏବଂ ‘ଅମୃତ ମହୋତ୍ସବ’; ଭାରତ ସ୍ୱାଧିନତାର ୭୫ ବର୍ଷ, ଭାରତର ସ୍ୱାଧିନତାରେ ଓଡ଼ିଶାର ଅବଦାନ ଏବଂ ଅଭିବୃଦ୍ଧି ଘଟୁଥିବା ଭାରତୀୟ ଜାତୀୟତାବାଦକୁ ଦର୍ଶାଇ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ କରାଯାଇଥିଲା ।

ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ତଥା ପ୍ରାଚୀନ ନୃତ୍ୟ ଓ କଳା ଶଙ୍ଖଧ୍ୱନି, ପଶୁମୁଖା ନୃତ୍ୟ, ରଣପା ନୃତ୍ୟ, ଓଡ଼ିଆ ଆସୋସିଏସନ, ଆମେରିକା ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ(ଧୁଡ଼ୁକୀ ନାଚ), ସୌଭାଗିନୀ ଦେବୀ ଏବଂ ତାଙ୍କ ଦଳ (ସମସ୍ତ ମହିଳା କଳାକାର), ତାଳଚେର ଦ୍ୱାରା ସାମରିକ କଳା ପ୍ରଦର୍ଶନ, ସମ୍ବଲପୁର ‘କଳାଜିବି’ ଦ୍ୱାରା ପ୍ରସ୍ତୁତ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଲୋକନୃତ୍ୟ ‘ରଙ୍ଗବତୀ’, ପୁରୀ ଫେଟ୍ ଫାଇଟରଙ୍କ ଦ୍ୱାରା ମାଲଖମ୍ବ ଆଦି ପରିବେଷଣ କରାଯାଇଥିଲା । ପାଇକ ବିଦ୍ରୋହର ସ୍ୱର୍ଣ୍ଣିମ ଇତିହାସକୁ ସ୍ମରଣ କରିବା ପାଇଁ କଟକର ମୋକ୍ଷ ଡ୍ୟାନ୍ସ ଗ୍ରୂପ ଦ୍ୱାରା ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ପରିବେଷିତ ‘ମାଟିର ପୁଅ ପାଇକ ପୁଅ ବୀର ସଂଗ୍ରାମୀ’ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନରେ ଭରିଥିଲା ଦେଶପ୍ରେମର ଉନ୍ମାଦନା ।

ଶେଷରେ ସୂରସନ୍ଧ୍ୟା କାର୍ଯ୍ୟକ୍ରମର ଅଂଶ ବିଶେଷ ସୁଦୂର ଚିକାଗୋରୁ ସୂରଜ ପଟ୍ଟନାୟକଙ୍କ କଣ୍ଠରେ ସୁମଧୁର ଭଜନ ଏବଂ ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ତାନ୍‌ସେନ ସିଂଙ୍କ ସମେତ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ର, ଦିପ୍ତୀରେଖା, ଆଶୁତୋଷ ଆଦିଙ୍କ ଦ୍ୱାରା ଆଧୁନିକ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ କରିଥିଲା ବେଶ୍ ମନ୍ତ୍ରମୁଗ୍ଧ ।

୨୮ ମାର୍ଚ୍ଚ ସନ୍ଧ୍ୟା ୭ଟାରୁ ଏହି ବିଶାଳ ପର୍ବର ଦ୍ୱିତୀୟ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ସେହିପରି ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିବା ସହ ଏକ ନିଆରା ଅନୁଭୂତି ପ୍ରଦାନ କରିବ ବୋଲି ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ବ୍ୟକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here