ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀମାନେ ନିଜର ସ୍ଥିତି ଜାହିର୍ କରିବା ଓ ନିଜର ଦାବି ପୂରଣ କରିବା ପାଇଁ ସରକାରୀ ଅଧିକାରୀ, ଜନସାଧାରଣ, ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି । ଏବେ ମାଓବାଦୀଙ୍କ କବ୍‌ଜାରେ ଅଛନ୍ତି ଯବାନ ରାକେଶୋର ସିଂ ମନହସ।

ମାଓବାଦୀମାନେ ନିଜର ସ୍ଥିତି ଜାହିର୍ କରିବା ଓ ନିଜର ଦାବି ପୂରଣ କରିବା ପାଇଁ ଅନେକ ସମୟରେ ନେତାଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ଜନସାଧାରଣ, ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି। ସେମାନଙ୍କୁ ପଣବନ୍ଦୀ ରଖି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମାଓବାଦୀଙ୍କ ଏଭଳି ନୀତି ବିଭିନ୍ନ ରାଜ୍ୟର ସରକାରଙ୍କୁ ଅଡ଼ୁଆରେ ପକାଇଛି।

ନିକଟରେ ଜଣେ ଯବାନଙ୍କୁ ଲାଲବାହିନୀ ବନ୍ଧକ ରଖିବା ସହ ମଧ୍ୟସ୍ତଙ୍କ ନାମ ଘୋଷଣା କରିବା ପାଇଁ ଛତିଶଗଡ଼ ସରକାରଙ୍କ ଉପରେ ଚାପ ପକାଇଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଯେଉଁ ଗୁଳି ବିନିମୟ ହୋଇଥିଲା, ସେଥିରେ ୨୪ଜଣ ଯବାନ ସହିଦ ହୋଇଥିଲେ। ଜଣେ ଯବାନ ନିଖୋଜ ଥିବାବେଳେ ଲାଲବାହିନୀ ତାଙ୍କୁ ଅପହରଣ କରି ବନ୍ଧକ ରଖିଥିବା ପରେ ଜଣାପଡ଼ିଥିଲା। ନିଖୋଜ ଯବାନ ଜଣଙ୍କ ହେଉଛନ୍ତି ଜମ୍ମୁ-କାଶ୍ମୀରର ରାକେଶୋର ସିଂ ମନହସ।ମାଲକାନଗିରି ଜିଲ୍ଲାପାଳ ଥିବାବେଳେ ଅପହୃତ ହୋଇଥିଲେ ଆଇଏଏସ୍ ଭିନୀଲ କ୍ରିଷ୍ଣା

୨୦୧୧ ମସିହା ୧୬ ଫେବ୍ରୁଆରୀରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣା। ଦୀର୍ଘ ୯ଦିନ ଧରି ମାଓବାଦୀମାନେ ତାଙ୍କୁ କବ୍‌ଜାରେ ରଖିଥିଲେ। ଶେଷରେ ଫେବ୍ରୁଆରୀ ୨୪ରେ ତାଙ୍କୁ ଫେରାଇ ଦେଇଥିଲେ। ଜିଲ୍ଲାପାଳଙ୍କ ଜନହିତକର କାର୍ଯ୍ୟ ପାଇଁ ସେ ମାଓବାଦୀଙ୍କ କବଳରୁ ରକ୍ଷା ପାଇଥିଲେ।

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ପଣବନ୍ଦୀ ରଖିଥିଲା ଲାଲବାହିନୀ

୨୦୧୨ ମସିହାରେ ମାଓବାଦୀମାନେ କନ୍ଧମାଳ-ଗଞ୍ଜାମ ସୀମାରୁ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ପଣବନ୍ଦୀ କରିଥିଲେ। ପାଉଲ ବୋସସ୍କୋ ଏବଂ କ୍ଲାଉଡିଓ କୋଲାଙ୍ଗେଲୋ ନାମକ ଦୁଇଜଣ ପର୍ଯ୍ୟଟକଙ୍କୁ ନେଇଯାଇଥିଲେ। ଏମାନଙ୍କୁ ଅପହରଣ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ମାଓ ନେତା ସବ୍ୟସାଚ୍ଚୀ ପଣ୍ଡା। ଗିରଫ କରାଯାଇଥିବା ମାଓବାଦୀଙ୍କୁ ଛାଡ଼ିବା ଥିଲା ସେମାନଙ୍କର ମୁଖ୍ୟ ଦାବି। ଅର୍ନ୍ତଜାତୀୟ ସ୍ତରରେ ନିନ୍ଦା ହେଲେ, ତାଙ୍କ ଦାବି ସରକାର ପୂରଣ କରିବେ ବୋଲି ଭାବିଥିଲେ।ପୂର୍ବତନ ସାଂସଦ ଝିନ୍ନ ହିକ୍‌କାଙ୍କୁ ଉଠାଇ ନେଇଥିଲେ ମାଓବାଦୀ

୨୦୧୨ ମସିହାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସାଂସଦ ଝିନ୍ନ ହିକ୍‌କାଙ୍କୁ ମାଓବାଦୀମାନେ ଉଠାଇ ନେଇଥିଲେ। ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିବାର ଦଶ ଦିନ ପରେ ସାଂସଦଙ୍କୁ ଅପହରଣ କରାଯାଇଥିଲା। ନିର୍ବାଚନମଣ୍ଡଳୀରୁ ଘରକୁ ଫେରିବା ସମୟରେ ଏଭଳି କାଣ୍ଡ ରଚିଥିଲେ ମାଓବାଦୀ। ସେମାନେ ଗାଡ଼ି ଡ୍ରାଇଭର ଓ ବିଧାୟକଙ୍କ ସୁରକ୍ଷା କର୍ମୀଙ୍କୁ ଛାଡ଼ିଦେଇ ବିଧାୟକଙ୍କୁ ସାଙ୍ଗରେ ନେଇଯାଇଥିଲେ।

ଯବାନ ରାକେଶୋର ସିଂ ମନହସ

ନିକଟରେ ଛତିଶଗଡ଼ରେ ହୋଇଥିବା ଯବାନ-ମାଓବାଦୀଙ୍କ ମହାଯୁଦ୍ଧରେ ହଜି ଯାଇଛନ୍ତି ଯବାନ ରାକେଶୋର ସିଂ ମନହସ। କୋବ୍ରା ବାହିନୀ ଅଧିନରେ ସେ କାର୍ଯ୍ୟରତ ଥିଲେ। ଯବାନଙ୍କ ଘର ଜାମ୍ମୁ-କାଶ୍ମୀରରେ ବୋଲି ଜଣାପଡ଼ିଛି। ମାଓବାଦୀମାନେ ଆଜି ଯବାନଙ୍କ ଏକ ଫଟୋ ସେୟାର କରିଛନ୍ତି। ତାଙ୍କୁ ସୁରକ୍ଷିତ ଫେରାଇବା ପାଇଁ ମଧ୍ୟସ୍ତିଙ୍କ ତାଲିକା ପଠାଇବାକୁ ସନ୍ଦେସ ଦେଇଛନ୍ତି।

Comment