ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ସଦର ପୋଲିସକୁ ମିଳିଛି ସଫଳତା। ବେଆଇନ ପିସ୍ତଲ କାରବାରରେ ୩ଜଣଙ୍କୁ ଗିରଫ କରିଛି ଜୟପୁର ପୋଲିସ। ଗିରଫ ତିନି ଜଣ ହେଉଛନ୍ତି ଫମ୍ପୁଣି ଗ୍ରାମର ଶଙ୍କର ପ୍ରଧାନ, ଦାମାପୁଟର ରାକେଶ କୁମାର ଶୁକ୍ରୀ ଓ ପାଇକ ସାହିର ଏମ୍ଡି ଅନସର ଅଲ୍ଲୀ। ଏମାନଙ୍କଠାରୁ ୩ଟି ପିସ୍ତଲ, ୬ଟି ଗୁଳି, ଗୋଟିଏ ଆପାଚି ବାଇକ ଓ ତିନୋଟି ମୋବାଇଲ ଫୋନ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସ୍ଡିପିଓ ଅରୁପ ଅଭିଷେକ।
ଜୟପୁର ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଘଟାଇବାକୁ ଯୋଜନା କରୁଥିବା ସମୟରେ ଖବର ପାଇ ପ୍ରଥମେ ଶଙ୍କର ପ୍ରଧାନଙ୍କୁ ଗିରଫ କରି ପୋଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ ଜବତ କରିଥିଲା। ତାଙ୍କୁ ଜେରା କରିବା ସମୟରେ ଏଥିରେ ଅନ୍ୟ ଦୁଇଜଣ ଯୁବକଙ୍କ ସମ୍ପୃକ୍ତି ଥିବା ଜାଣିପାରି ସେମାନଙ୍କୁ ଗିରଫ କରିଥିଲା ଜୟପୁର ପୋଲିସ।
ଏସ୍ଡିପିଓଙ୍କ ସୂଚନା ଅନୁସାରେ, ପୂର୍ବରୁ ଏମାନଙ୍କ ନାଁରେ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ତେବେ ଏହି ବେଆଇନ ପିସ୍ତଲ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ତଦନ୍ତ ଚାଲିଛି।


















