ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାପରେ, ପୁଣିଥରେ ଦେଶକୁ ଫେରିଛି ଲକ୍‌ଡାଉନ୍। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଥମେ ଛତିଶଗଡ଼ ସରକାର ଲକ୍‌ଡାଉନ୍ ଘୋଷଣା କଲାପରେ ଆଜି ମଧ୍ୟପ୍ରଦେଶ ସରକାର ମଧ୍ୟ ସମାନ ଘୋଷଣା କରିଛନ୍ତି।

ଛତିଶଗଡ଼ରେ ଲକ୍‌ଡାଉନ୍

ଛତିଶଗଡ଼ରେ ସଡ଼କ ସୁରକ୍ଷା ସପ୍ତାହ ସରିଜ ସରିବାପରେ ଏବେ ଦୈନିକ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେଠାକାର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୂତାବକ ମଙ୍ଗଳବାର ଦିନ ରାଜ୍ୟରୁ ସର୍ବାଧିକ ୯ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସର୍ବାଧିକ ରାୟପୁରର ଚିହ୍ନଟ ହୋଇଥିଲେ। ତେଣୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାୟପୁରରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାୟପୁର। ଏଥିସହ ରାୟପୁରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଏସ୍‌. ଭାରତୀ। ଏହିସମୟରେ ଜରୁରୀକାଳୀନ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟପ୍ରଦେଶରେ ଲକ୍‌ଡାଉନ୍

ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ସର୍ବାଧିକ ସଂକ୍ରମିତ ସେହିଠାରୁ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟର ପ୍ରମୁଖ ସହରମାନଙ୍କରେ ୬୦ଘଣ୍ଟା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏହା ଶୁକ୍ରବାର ସନ୍ଧ୍ୟା ୬ଟାରୁ ଲାଗୁ ହୋଇ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏଥିସହ ରାଜ୍ୟର ବଡ଼ ବଡ଼ ସହରମାନଙ୍କରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। କରୋନା କଟକଣାକୁ ଉଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାର କୌଣସି ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍ ଜାରି ରହିବ।

Comment