ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସ୍ମାର୍ଟ୍ ସିଟି ଲିମିଟେଡର ୧୬ତମ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ବୈଠକ ଶୁକ୍ରବାର ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଅଧ୍ୟକ୍ଷ ତଥା ରାଜ୍ୟ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଯୋଗଦେଇଥିଲେ। ସେ ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ।

ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପ୍ରଥମେ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ ବୁଲି ଦେଖିବା ସହ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏହା ପରେ ସେ ରାଉରକେଲା ୱାନ୍, ଡିଏଭି ପୋଖରୀ ଉନ୍ନତିକରଣ, ଛେଣ୍ଡ ଭି.ଏସ୍.ଏସ୍ ମାର୍କେଟ ନିକଟ ସ୍ମାର୍ଟ ହାଟ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ସେ ବାଲୁଘାଟ ଠାରେ ଥିବା ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଫେକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ଫେକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଭାର ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସମୟରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟେକଟି ପ୍ରକଳ୍ପ ଏବଂ ଏହାର କାର୍ଯ୍ୟକାରିତା ତଥା ଅଗ୍ରଗତି ସଂପର୍କରେ ଉନ୍ନୟନ କମିସନରଙ୍କୁ ବିସ୍ତୃତ ଭାବେ କହିଥିଲେ।ରାଉରକେଲାରେ ସମସ୍ତ ପ୍ରକଳ୍ପ ବୁଲି ଦେଖିସାରିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ସ୍ମାର୍ଟ ସିଟି ବୋର୍ଡ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଥମେ ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରାଇଥିଲେ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ଏଥିରେ ଆଲୋଚନା ହେବା ସହ ନୂତନ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା।ରାଜ୍ୟ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍, ରାଜ୍ୟ ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍, ରାଜ୍ୟ ହସ୍ତତନ୍ତ ବିଭାଗ ସଚିବ ଶୁଭା ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଶାଳିନି ପଣ୍ଡିତ୍, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଅନୁସଚିବ କଲ୍ୟାଣ କୁମାର ଆଚାର୍ଯ୍ୟ ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ସେହିପରି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ସ୍ୱାଧୀନ ନିର୍ଦ୍ଦେଶକ କଲ୍ୟାଣୀ ମିଶ୍ର, ଭଗବାନ ପତି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିବା ବେଳେ ଏ.କେ. ଟିବରୱାଲ୍ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏଥିସହ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକ ମିନକେତନ ସାହୁ, ସଞ୍ଜୟ କୁମାର ନନ୍ଦ, ମୁଖ୍ୟ ବିତ୍ତ ଅଧିକାରୀ ୟୁ.ପି.ସି. ପାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comment