ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏପରିକି ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ‘ନୀତି ଆୟୋଗ’ର ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି କେ ପଲ ପରାମର୍ଶ ଦେଇଛନ୍ତି।

ନିହାତି ଆବଶ୍ୟକ ନପଡ଼ିଲେ କେହି ଘରୁ ବାହାରକୁ ଯାଆନ୍ତୁ ନାହିଁ। ସେହିପରି ଦରକାର ନଥିଲେ କୌଣସି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ। କରୋନା ସଂକ୍ରମଣକୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ପଲ୍‌ ଏ କଥା କହିଛନ୍ତି।

କୋଭିଡ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଣୁ  ଏବେ ସମୟ ଆସିଛି ଯେ, ଘରେ ବାହାରେ ସବୁଠି ମାସ୍କ ପିନ୍ଧିବା।  କେବଳ ମାସ୍କ ନୁହେଁ, ସାମାଜିକ ଦୂରତା ରଖିବା ଦରକାର ବୋଲି କହିଛନ୍ତି ଡାକ୍ତର ପଲ୍‌।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ଟିକା ନିଅନ୍ତୁ। ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ଉତ୍ସାହିତ କରନ୍ତୁ। ଟିକା ନେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରନ୍ତୁ। ସତର୍କ ରହିଲେ କରୋନାକୁ ହରେଇ ହେବ।

ମହିଳାଙ୍କ ଋତୁସ୍ରାବ ବେଳେ ସେମାନେ ଟିକା ନେଇପାରିବେ କି ନାହିଁ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ପଲ୍‌ କହିଛନ୍ତି ଯେ ଋତୁସ୍ରାବ ବେଳେ ମହିଳାମାନେ ଟିକା ନେଇପାରିବେ। ଏଥିରେ କୌଣସି ସମସ୍ୟା ନାହିଁ। ଟିକା ନେବା ସମୟ ଗଡ଼ାଇବା ଉଚିତ ନୁହେଁ।

Comment