ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ (ଆରଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଶେଷକରି ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ସହାୟକ ହେବ। ଏଥିପାଇଁ ରାଉରକେଲାର ୪ଟି ହୋଟେଲକୁ ଆରଏମସି ପକ୍ଷରୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କମିସନର ଦିବ୍ୟଜ୍ୟୋତି ପରିଡ଼ା।

ରାଉରକେଲା ପାନପୋଷ ରୋଡସ୍ଥିତ ହୋଟେଲ ମେ’ଫେୟାର ଏବଂ ହୋଟେଲ ଜେ ପି ହାଇଟ୍ସ, ଗୁରୁଦ୍ୱାର ରୋଡସ୍ଥିତ ହୋଟେଲ ଅନୁରାଗ ଏବଂ ମେନ୍ ରୋଡ୍ ଡେଲି ମାର୍କେଟସ୍ଥିତ ହୋଟେଲ ଗ୍ରିନ ଆପଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ନିର୍ଦ୍ଧାରିତ ଦେୟ ପଇଠ କରି ଲୋକେ ଏହି ସୁବିଧା ପାଇ ପାରିବେ। ଏହିସବୁ ହୋଟେଲରେ କୋଭିଡ୍ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ଏହି ହୋଟେଲ ତାଲିକାରେ ବ୍ୟକ୍ତି ପିଛା ଦୈନିକ କେତେ ଦେୟ ଦେବାକୁ ପଡ଼ିବ ତାହା ଦର୍ଶା ଯାଇଛି।

ହୋଟେଲ ମେ’ଫେୟାରରେ ପେଡ୍ କ୍ୱାରେଣ୍ଟାଇନ ସେବା ପାଇଁ ଜଣେ ବ୍ୟକ୍ତିଙ୍କୁ (ସିଙ୍ଗଲ ଅକ୍ୟୁପାନ୍ସି) ଦୈନିକ ୩୫୦୦ ଟଙ୍କା ପଡ଼ିବ। ଏଥିପାଇଁ ୯୨୩୮୪୧୩୦୫୧ ନମ୍ବରକୁ ଯୋଗାଯୋଗ କରି ଲୋକେ ସୁବିଧା ନେଇପାରିବେ। ହୋଟେଲ ଜେ ପି ହାଇଟ୍ସରେ ଏ ବାବଦରେ ଦୈନିକ ଦେୟ ରହିଛି ୨୦୦୦ ଟଙ୍କା। ଏହି ହୋଟେଲ ବୁକିଂ ପାଇଁ ନମ୍ବର ହେଉଛି ୮୮୯୫୪୪୧୨୧୩। ହୋଟେଲ ଅନୁରାଗରେ ପେଡ୍ କ୍ୱାରେଣ୍ଟାଇନ୍ ସେବା ପାଇଁ ଦୈନିକ ୨୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ହୋଟେଲ ସହିତ ଯୋଗଯୋଗ କରିବାର ନମ୍ବରଟି ହେଲା ୯୮୬୧୧୨୫୪୬୫। ସେହିପରି ହୋଟେଲ ଗ୍ରିନ୍ ଆପଲରେ ଦୈନିକ ୧୨୦୦ ଟଙ୍କା ଦେଇ ଲୋକେ ଏସି ରୁମ୍ ବୁକ୍ କରିପାରିବେ। ଏହାସହ ୯୯୯ ଟଙ୍କା ପୈଠ କରି ନନ୍ ଏସି ରୁମର ସୁବିଧା ପାଇ ପାରିବେ। ଏଥିପାଇଁ ୮୨୬୦୫୦୦୧୬୦ ନମ୍ବରରେ ଯୋଗାଯୋଗ କରିପାରିବେ।

ପେଡ୍ କ୍ୱାରେଣ୍ଟାଇନ୍ ସେବା ନେଉଥିବା ବ୍ୟକ୍ତିଙ୍କୁ ଉପରେ ଦିଆଯାଇଥିବା ଦର ସହିତ ଜିଏସଟି ଏବଂ ଖାଦ୍ୟ ବାବଦରେ ଅତିରିକ୍ତ ଦେୟ ଦେବାକୁ ହେବ।

କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମାଗଣାରେ ଆନୁଷ୍ଠାନିକ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି। ତେବେ ଯେଉଁମାନେ ଚାହିଁବେ ନିର୍ଦ୍ଦିଷ୍ଟ ହୋଟେଲକୁ ଯାଇ ପେଡ୍ କ୍ୱାରେଣ୍ଟାଇନ୍ ସେବା ନେଇ ପାରିବେ।

ରାଉରକେଲା ସହରର ଅନ୍ୟ ହୋଟେଲଗୁଡ଼ିକ ମଧ୍ୟ ପେଡ୍ କ୍ୱାରେଣ୍ଟାଇନ ସେବା ଆରମ୍ଭ କରିପାରିବେ। ଆଗ୍ରହୀ ହୋଟେଲ କର୍ତ୍ତୃପକ୍ଷ ରାଉରକେଲା ମହାନଗର ନିଗମର ଇମେଲ rourkelamunicipality@gmail.com ଠିକଣା ବ୍ୟବହାର କରି ଏଥିପାଇଁ ଆବେଦନ କରିପାରିବେ।

Comment