ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏକଦା ବାମଦଳ ଓ ଏବେ ବିଜେପିର ଶକ୍ତି ଭେଦ କରିଥିବା ମମତା ବାନାର୍ଜୀଙ୍କ ଜୟଯାତ୍ରା ଏତେ ସହଜ ନ ଥିଲା।

ସତୁରୀ ଦଶକରେ କଂଗ୍ରେସ ଦଳର ଜଣେ ସାଧାରଣ କର୍ମୀ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମମତା ବାନାର୍ଜୀ ଏବେ ଭାରତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଲୋକମୁଖରେ ସେ ଏବେ ‘ଦିଦି’, ‘ଆଇରନ ଲେଡି’ ଆଖ୍ୟା ବି ପାଇଛନ୍ତି। ନନ୍ଦିଗ୍ରାମ ଓ ସିଙ୍ଗୁର ଆନ୍ଦୋଳନରୁ ଆରମ୍ଭ କରି ପଶ୍ଚିମବଙ୍ଗର ୩ ଥର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ଏ ଜୟଯାତ୍ରା କମ୍ ସଂଘର୍ଷପୂର୍ଣ୍ଣ ନଥିଲା।

ଜୟପ୍ରକାଶ ନାରାୟଣଙ୍କ କାର୍ ଉପରେ ଚଢ଼ିଯାଇଥିଲେ ମମତା

କେହି କେହି ତାଙ୍କୁ ପଶ୍ଚିମବଙ୍ଗର ‘ବାଘୁଣୀ’ବୋଲି କହନ୍ତି। ନିଜ ରାଜନୈତିକ ଜୀବନ ଆରମ୍ଭରୁ ହିଁ ସେ ନିଡର ଓ ଦୁଃସାହସୀ ଥିଲେ। ୧୯୭୫ ମସିହାର କଥା କୋଲକାତାରେ ରାଲି କରୁଥାନ୍ତି ଲୋକନେତା ଜୟପ୍ରକାଶ ନାରାୟଣ। ଇନ୍ଦିରା କଂଗ୍ରେସ ଦଳ ସହ ଜଡ଼ିତ ଛାତ୍ରସଂଘରେ ସାମିଲ ଥିବା ମମତା ହଠାତ୍ ସେଦିନ ଜୟପ୍ରକାଶଙ୍କ କାର୍‌କୁ ଅଟକାଇଦେଇଥିଲେ। କେବଳ ସେତିକି ନୁହେଁ, କାର୍ ଉପରେ ଚଢ଼ି ଜାତୀୟ ଶିରୋନାମା ପାଲଟି ଯାଇଥିଲେ ସେତେବେଳର ବିପ୍ଳବୀ ତରୁଣୀ ମମତା। ଏହାପରେ ସେ ଇନ୍ଦିରା କଂଗ୍ରେସର ମହିଳା ଶାଖାର ସାଧାରଣ ସମ୍ପାଦିକା ଦାୟିତ୍ୱ ପାଇଲେ। ୧୯୭୬ରୁ ୧୯୮୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଲେ।

୧୯୮୪ ମସିହାର କଥା ୩୭ ବର୍ଷ ତଳେ ହୋଇଥିବା ଲୋକସଭା ନିର୍ବାଚନରେ ସେ ଦେଶର ସର୍ବକନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ। ଯାଦବପୁର ଆସନରୁ କମ୍ୟୁନିଷ୍ଟ ଦଳର ସୋମନାଥ ଚାଟାର୍ଜୀଙ୍କ ଭଳି ରାଜନୀତିର ବରିଷ୍ଠ ହସ୍ତୀଙ୍କୁ ସେ ହରାଇପାରିବେ, ଏକଥା କେହି କଳ୍ପନା କରିନଥିଲେ। ସେହି ବର୍ଷ ତାଙ୍କୁ ଭାରତୀୟ ଜାତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ଦାୟିତ୍ୱ ଦିଆଗଲା।

ତେବେ ୧୯୮୯ ମସିହା ସାଧାରଣ ନିର୍ବାଚନ ବେଳକୁ ଦେଶରେ ଯେଉଁ କଂଗ୍ରେସ ବିରୋଧୀ ହାଓ୍ୱା ବହିବା ଆରମ୍ଭ କରିଥିଲା, ସେହି ପ୍ରବାହରେ ମମତାଙ୍କୁ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଲା। ୧୯୯୧ ନିର୍ବାଚନରେ ସେ ପୁଣି ଦକ୍ଷିଣ କୋଲକାତା ଆସନରୁ ଲୋକସଭାକୁ ନିର୍ବାଚିତ ହେଲେ। ଏହାରେ ୧୯୯୬, ୧୯୯୮, ୧୯୯୯, ୨୦୦୪, ୨୦୦୯ ସାଧାରଣ ନିର୍ବାଚନରେ ସେ ଏହି ଆସନରୁ ଜିତି ଚାଲିଲେ।କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ

୧୯୯୧ରେ ପି.ଭି. ନରସିଂହ ରାଓଙ୍କ ସରକାରରେ ସେ ମାନବ ସମ୍ବଳ ବିକାଶ, ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀପଦ ପାଇଥିଲେ। ୧୯୯୯ରେ ସେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ)ରେ ଯୋଗଦେଇ ବାଜପାୟୀଙ୍କ ସରକାରରେ କେନ୍ଦ୍ର ରେଳ ମନ୍ତ୍ରାଳୟ ଦାୟିତ୍ୱ ନେଲେ। ୨୦୦୪ରେ ପୁଣି ତାଙ୍କୁ କେନ୍ଦ୍ର କୋଇଲା ଓ ଖଣି ବିଭାଗ ମନ୍ତ୍ରୀପଦ ମିଳିଲା।

କଂଗ୍ରେସ ଛାଡ଼ି ମମତା ଗଢ଼ିଲେ ତୃଣମୂଳ କଂଗ୍ରେସ

୧୯୯୭ରେ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ସୋମେନ୍ଦ୍ର ନାଥ ମିତ୍ରଙ୍କ ସହ ତାଙ୍କର ମତଭେଦ ଯୋଗୁ ସେ କଂଗ୍ରେସ ଛାଡ଼ିଲେ। ଏହାଫରେ ମମତା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଳ ଗଢ଼ିଲେ, ଯାହା ଖୁବ୍ କମ୍ ଦିନରେ ବାମଗଡ଼ରେ ରାଜ୍ୟର ଏକ ପ୍ରମୁଖ ରାଜନୈତିକ ଦଳ ଭାବେ ଉଭା ହେଲା। ପାର୍ଟି ଗଠନ ହେବାର ପ୍ରାୟ ୧୩ ବର୍ଷ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା।

ପଶ୍ଚିମବଙ୍ଗରେ ଦୀର୍ଘ ୩୪ ବର୍ଷ ଧରି ଶାସନରେ ଥିବା ବାମଦଳକୁ କୌଣସି ଜାତୀୟ ରାଜନୈତିକ ଦଳ ଯେଉଁଠି ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇପାରି ନଥିଲେ, ସେଠି ମମତାଙ୍କ ତୃଣମୂଳ କଂଗ୍ରେସ କେବଳ ଚ୍ୟାଲେଞ୍ଜ ଦେଲାନାହିଁ, ବରଂ କ୍ଷମତାରୁ ଅସାରଣ ମଧ୍ୟ କରିପାରିଲା। ପଶ୍ଚିମବଙ୍ଗରୁ ବାମଦଳକୁ ଶାସକ ଗାଦିରୁ ହଟାଇବାରେ ମୁଖ୍ୟ ଅସ୍ତ୍ର ସାଜିଥିଲା ସିଙ୍ଗୁର ଓ ନନ୍ଦିଗ୍ରାମ।ଜନତାଙ୍କ ଆସ୍ଥାଭାଜନ କଲା ନନ୍ଦିଗ୍ରାମ ଓ ସିଙ୍ଗୁର ଆନ୍ଦୋଳନ

ପଶ୍ଚିମବଙ୍ଗର ପୂର୍ବ ମିଦ୍‌ନାପୁର ଜିଲ୍ଲାର ନନ୍ଦିଗ୍ରାମରେ ଇଣ୍ଡୋନେସୀୟ କମ୍ପାନି ସଲିମ୍ ଗ୍ରୁପ ଯେଉଁ ସ୍ପେଶାଲ ଇକୋନୋମିକ୍ ଜୋନ୍‌ର ପରିକଳ୍ପନା କରିଥିଲା, ସେଥିପାଇଁ ୧୪ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥାଆନ୍ତା। ୨୦୦୭ରେ ସେତେବେଳର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସରକାର ଏଥିପାଇଁ ଅନୁମତି ଦେଇଥିଲେ କିନ୍ତୁ ନନ୍ଦିଗ୍ରାମର ସାଧାରଣ ଜନତା ନିଜ ଭିଟାମାଟି ଦେବା ପାଇଁ ରାଜି ନଥିଲେ। ସେଠାରେ ପୋଲିସ-ଜନତା ସଂଘର୍ଷ ବେଳେ ପୋଲିସ ଗୁଳିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ୨୦୦୮ରେ ସିଙ୍ଗୁରରେ ଟାଟା ମୋର୍ଟସକୁ ନାନୋ ଫ୍ୟାକ୍ଟ୍ରି କରିବା ପାଇଁ ଆଗକୁ ବଢ଼ିବା ବେଳେ ସେଠାକାର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏ ଦୁଇଟି ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ମମତା ବାନାର୍ଜୀ ଓ ବାମଦଳର ନୀତିକୁ ବିରୋଧ କରି ‘ମା, ମାଟି, ମାନୁଷ’ର ନାରା ଦେଇଥିଲେ। ଏହି ଦୁଇଟି କମ୍ପାନି ପରେ ନିଜ ନିଜ ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ଏହି ଭୂମିକା ପରେ ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ତୃଣମୂଳକ କଂଗ୍ରେସକୁ ଲୋକଙ୍କ ସମର୍ଥନ ଓ ଆସ୍ଥା ମିଳିଥିଲା।

୩୪ ବର୍ଷର ବାମଗଡ଼ ଭେଦିଲେ ଦିଦି

୩୪ ବର୍ଷର ବାମଗଡ଼କୁ ଅପସାରଣ କରି ସଂଖ୍ୟାଗରିଷ୍ଠତା ସହ ମମତାଙ୍କ ନେତୃତ୍ୱାଧୀନ ଟିଏମ୍‌ସି ପଶ୍ଚିମବଙ୍ଗରେ ସରକାର ଗଢ଼ିଥିଲା। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଦିଦି। ସେବେଠାରୁ ପଶ୍ଚିମବଙ୍ଗ ତାଙ୍କର ଗଡ଼ ହୋଇ ରହିଛି। ୨୦୧୧ ଓ ୨୦୧୬ରେ ସଂଖ୍ୟାଗରିଷ୍ଠ ଭାବେ ତାଙ୍କ ଦଳ ସରକାର ଗଢ଼ିଥିଲା ଓ ମମତା ହୋଇଥିଲେ ମୁଖ୍ୟମନ୍ତ୍ରୀ।୨୦୨୧ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନ୍ୟ ସବୁ ଥରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଥର କେନ୍ଦ୍ରରେ କ୍ଷମତାରେ ଥିବା ଜାତୀୟ ଦଳ ବିଜେପି ସହ ଟିଏମ୍‌ସିର ଲଢ଼େଇ ଥିଲା। ଏଥିପାଇଁ ମମତାଙ୍କ ସାମ୍ନାରେ ଥିଲା ଅନେକ ଚ୍ୟାଲେଞ୍ଜ ପଶ୍ଚିମବଙ୍ଗର ଚଳିତ ବିଧାନସଭା ନିର୍ବାଚନକୁ ‘ଦିଦି ବନାମ ମୋଦୀ’ ବୋଲି କୁହାଯାଉଥିଲା। ବିଜେପି ସେଠାରେ ହିନ୍ଦୁତ୍ୱ ଓ ମୁସଲିମ୍ ଭୋଟ୍‌ର ଯେଉଁ କାର୍ଡ ଖେଳିଥିଲା, ସେଥିରେ ବିଜେପିକୁ ଜନମତ ଚାଲିଯାଇପାରେ ବୋଲି ଅନେକ ଅନୁମାନ କରୁଥିଲେ। କିନ୍ତୁ ସେ ସବୁ କଳ୍ପନାଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ମମତାଙ୍କ ତୃଣମୂଳ କଂଗ୍ରେସ। ଚୂଡ଼ାନ୍ତ ଫଳ ଆସିନଥିବା ବେଳେ ୨୧୫ଟି ଆସନରେ ଦଳ ଅଗ୍ରଣୀ ରହିଛି।

ମମତା ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗରେ ଏବେ ମଧ୍ୟ ମମତାଙ୍କ ଲୋକ୍ରିୟତା ବଜାୟ ରହିଛି ବୋଲି ଏହି ନିର୍ବାଚନ ପ୍ରମାଣିତ କରିଛି।

Comment