ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆ ଯଥା ଫେସବୁକ, ୱାଟସଆପ୍, ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଆଦିରେ ବେଶୀ ସମୟ ନରହିବା ପାଇଁ କରୋନା ଆକ୍ରାନ୍ତଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କୋଭିଡ୍ ମୃତ୍ୟୁ ଓ କରୋନାର ନୂଆ ରୂପ ସମ୍ପର୍କିତ ଅନେକ ପୋଷ୍ଟ, ଭିଡିଓ ଓ ଫଟୋ ଅଯଥାରେ କରୋନା ରୋଗୀଙ୍କ ଉପରେ ମାନସିକ ପ୍ରଭାବ ପକାଉଥିବା କଥା ଡାକ୍ତରମାନେ କହିଛନ୍ତି।

କରୋନାରୁ ସୁସ୍ଥ ହୋଇଥିବା ଅଥବା ଏଯାଏଁ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ହେତୁ ସେମାନଙ୍କ ଭିତରେ ଏକ ପ୍ରକାର ମାନସିକ ଅବସାଦ ସୃଷ୍ଟି ହେଉଥିବା ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।କିଛି ଲୋକ ଅସମର୍ଥିତ ଓ ଭିତ୍ତିହୀନ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ ଏବଂ ସେୟାର୍ କରୁଛନ୍ତି। ବିଶେଷ କରି କରୋନା ଟିକାକୁ ନେଇ ବହୁ କଥା ଶୁଣିବାକୁ ମିଳୁଛି। କେହି ଜଣେ ଭୁଲ ପୋଷ୍ଟକୁ ସଂଶୋଧନ ବା ନକରିବା ପର୍ଯ୍ୟନ୍ତ ଲୋକେ ତାହାକୁ ଲାଇକ କରି ଚାଲିଥିବା ମଧ୍ୟ ଦେଖାଯାଉଛି। ଏହା ଦ୍ୱାରା ଅଧିକ ଦ୍ଵନ୍ଦ୍ୱ ଓ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି। ବିଗତ କିଛି ଦିନ ମଧ୍ୟରେ, ବିଶେଷ କରି ପ୍ରଥମ ପର୍ଯ୍ୟାୟରେ, ଏଭଳି ଗୁଜବ ପ୍ରଚାର କରୁଥିବା କାରଣରୁ କିଛି ଲୋକଙ୍କୁ ହାଜତକୁ ବି ନିଆଯାଇଥିଲା।

ସୋସିଆଲ ମିଡିଆରେ ସକ୍ରିୟ ଥିବା ଜଣେ ସରକାରୀ ଡାକ୍ତର ବିଶ୍ୱରଞ୍ଜନ କର କରୋନା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଦେଇଥାନ୍ତି। ତାଙ୍କ କହିବା ଅନୁଯାୟୀ, ଯଦି ଆମେ କିଛି ପୋଷ୍ଟ କରୁଛୁ ପ୍ରଥମେ ଦେଖିବା କଥା ଏହା ଭୁଲ କି ଠିକ୍। ଯେହେତୁ ଏହା ଜନସାଧାରଣଙ୍କ କଥା ଓ କରୋନା ଭଳି ଏକ ସାଙ୍ଘାତିକ ରୋଗ ସହିତ ଆମେ ଲଢ଼େଇ କରୁଛୁ, ତେଣୁ କିଛି ଲେଖିବା ପୂର୍ବରୁ ତାର ସୁଦୁରପ୍ରସାରି ପ୍ରଭାବ କଥା ଚିନ୍ତା କରିବା ଆବଶ୍ୟକ।ସେହିପରି ମନସ୍ତତ୍ତ୍ୱବିତ ଲଗ୍ନଜିତ ଦାଶ କହିଛନ୍ତି, “ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ପୋଷ୍ଟ ଉପରେ ନିୟନ୍ତ୍ରଣ ରହିବା ଦରକାର। ବାଜେ ପୋଷ୍ଟ ଓ ଖବରକୁ କରୋନା ଆକ୍ରାନ୍ତମାନେ ପଢ଼ିବା ବନ୍ଦ କରିବା ଉଚିତ। ବରଂ ଯଦି କିଛି ଲକ୍ଷଣ ପ୍ରକାଶ ପାଇଛି ଡାକ୍ତର ଓ ଅନ୍ୟାନ୍ୟ ସରକାରୀ ସୁବିଧା ସହ ପରାମର୍ଶ କରିବା ଆବଶ୍ୟକ।”

Comment