ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ପ୍ରଥମ ପର୍ଯ୍ୟାୟରେ ଭୂତାଣୁ ଯାହାକୁ ସ୍ପର୍ଶ କରି ପାରିନଥିଲା, ଦ୍ଵିତୀୟ ଲହରରେ ସେମାନଙ୍କୁ ସଂକ୍ରମିତ କରିଥିବା ଜଣାପଡିଛି। ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ୪ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏହି ଘଟଣା ପରେ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିଜ ଗାଁରେ ଆବଦ୍ଧ ରହୁଥିବା ଏହି ଆଦିବାସୀ ସମ୍ପ୍ରଦାୟ ଭିତରେ କରୋନା କିଭଳି ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ରଙ୍କ କହିବା ଅନୁଯାୟୀ ବେଳେବେଳେ ଡଙ୍ଗରିଆ କନ୍ଧ ଆଦିବାସୀ ମାନେ ପାଖ ହାଟକୁ ଯାଇଥାନ୍ତି। ହୁଏତ ସେଠୁ ଏହି ଚାରି ଜଣ ସଂକ୍ରମିତ ହୋଇଥିବେ। ତେବେ ଅନ୍ୟ ଗାଁ ଓ ସେହି ଗାଁ ଭିତରେ ଯେମିତି ଅନ୍ୟ ମାନେ ସଂକ୍ରମିତ ନହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସପ୍ତାହରେ ଥରେ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରୁଥିବା କଥା ଜିଲ୍ଲାପାଳ କହିଛନ୍ତି।ରାୟଗଡ଼ା ଜିଲ୍ଲା ଡିକେଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ପାଢ଼ୀ କହିଛନ୍ତି ଯେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଆଦି ଉପାୟ ସମ୍ପର୍କରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକମାନଙ୍କୁ ସଚେତନ କରାଯାଉଛି। ଏଗୁଡିକ କିଭଳି ସଠିକ୍ ଭାବେ ପାଳନ କରାଯିବ ତାହା ନିଜେ ଆମେ କରି ଦେଖାଉଛୁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକରେ ଡଙ୍ଗରିଆ କନ୍ଧ ଆଦିବାସୀମାନେ ବାସ କରନ୍ତି। ନିୟମଗିରି ପାହାଡ଼ ଚତୁର୍ଦିଗରେ ଥିବା ୧୦୨ ଗାଁରେ ରହୁଥିବା ଏହି  ୨୪୬୧ ପରିବାରର ଡଙ୍ଗରିଆ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୧୦ ହଜାର।

Comment