ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ) : ଫେସବୁକରୁ ବନ୍ଧୁତା, ପରେ ପ୍ରେମ। ଦୀର୍ଘ ୫ ବର୍ଷ ଏକାଠି ରହିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ପ୍ରେମିକାଙ୍କୁ ଧୋକା ଦେଲା ପ୍ରେମିକ। ପ୍ରତାରଣା ମିଳିବା ପରେ ନ୍ୟାୟ ପାଇଁ ଥାନର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା। ରାୟଗଡ଼ା ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏନେଇ ସଂପୃକ୍ତ ଯୁବତୀ ଜଣଙ୍କ ରାୟଗଡା ଟାଉନ୍‍ ଥାନାରେ ଲିଖିତ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇଛି।

ବାଲେଶ୍ୱର ସହରର ରଶ୍ମୀବାଳା ବେହେରା ନାମ୍ନୀ ଜଣେ ଯୁବତୀ ରାୟଗଡା ଜିଲ୍ଲା ଜେକେପୁର ଗ୍ରାମର ସଞ୍ଜୀବ ବେହେରା ନାମକ ଜଣେ ଯୁବକଙ୍କୁ ଫେସବୁକରୁ ଜାଣିଥିଲେ। ଫେସବୁକରେ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଏହାପରେ ସେମାନେ ଭୁବନେଶ୍ୱରେ ୨୦୧୭ରୁ ୨୦୨୦ ଯାଏଁ ସେମାନେ ଏକାଠି ରହିଆସୁଥିଲେ। ହେଲେ ଚଳିତ ମେ’ ମାସ ୭ ତାରିଖ ଦିନ ଅଭିଯୁକ୍ତ ସଞ୍ଜୀବ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ଏକଥା ଶୁଣିବା ପରେ ରଶ୍ମୀବାଳା ରାୟଗଡା ଆସି ସଞ୍ଜୀବଙ୍କୁ ଖୋଜିଥିଲେ। ସଞ୍ଜୀବ ଜେକେପୁରରେ ରହୁଥିବା ଘରକୁ ଯାଇ ସଞ୍ଜୀବକୁ ଭେଟି ପଚାରିଥିଲେ। ହେଲେ ସଞ୍ଜୀବ କିଛି କହିନଥିଲା।

ଏହାପରେ ଯୁବତୀ ଜଣକ ରାୟଗଡା ଥାନାରେ ଏତଲା ଦେବାପରେ ସଞ୍ଜୀବ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରବିବାର ଯୁବତୀ ଜଣକ ସଞ୍ଜୀବର ଘର ଆଗରେ ଧାରଣାରେ ବସିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ୍‍ ତାକୁ ଆଣି ରାୟଗଡାରେ ସ୍ୱଧାର ଗୃହରେ ରଖିଛି। ନ୍ୟାୟ ନମିଳିବା ଯାଏଁ ଯୁବତୀ ଜଣକ ଏଠାରେ ରହିବା ପାଇଁ ସ୍ଥିର କରିଥିବା ବେଳେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷେ ଏନେଇ ଅଭିଯୁକ୍ତ ସଞ୍ଜୀବ ସପରିବାର ଫେରାର ରହିଥିବାରୁ ତାର କିମ୍ବା ପରିବାରର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣାରେ ରାୟଗଡା ପୋଲିସ୍‍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ୍‍ଡିପିଓ ଦେବଜ୍ୟୋତି ଦାଶ ପ୍ରକାଶ କରିଛନ୍ତି।

Comment