ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ଡରରେ ହଜିଗଲାଣି ମାନବିକତା। ଯଦି କୌଣସି ବ୍ୟକ୍ତିର କିଛି ଅଘଟଣ ଘଟୁଛି, ତେବେ ତାକୁ ସାହାଯ୍ୟ କରିବା ତ’ ଦୂରର କଥା, ତା’ ପାଖ ମାଡ଼ିବାକୁ ଡରୁଛନ୍ତି ସମସ୍ତେ। ସେମିତି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। କରୋନାରେ ମୃତ୍ୟୁ ହୋଇଥିବା ଭାବି, ଡରରେ ଅନ୍ୟ ଯାତ୍ରୀମାନେ ପାଖ ମାଡ଼ିନଥିଲେ। ମୃତ ବ୍ୟକ୍ତିଙ୍କର ପତ୍ନୀ ସାହାଯ୍ୟ ପାଇଁ ନେହୁରା ହୋଇ ଶେଷରେ ନିରାଶ ହୋଇଥିଲେ। ଏହି ସମୟରେ ତାଙ୍କୁ ସହଯୋଗର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି ଆଇପିଏସ ଅଫିସର ଅମିତାଭ ଠାକୁର।

ଅରୁଣ ମୁଖାର୍ଜୀ ଓ ତାଙ୍କ ପତ୍ନୀ ଉତ୍ତରା ମୁଖାର୍ଜୀ ବାଙ୍ଗାଲୋରରେ ରହୁଥିବା ପୁଅ ପାଖକୁ ବୁଲିବାକୁ ଯାଇଥିଲେ। ରବିବାର ଦିନ ସେମାନେ ଯଶୋବନ୍ତପୁର-ଭାଗଲପୁର ଏକ୍ସପ୍ରେସରେ ବାଙ୍ଗଲୋରରୁ ମୁଙ୍ଗେର ଫେରୁଥିଲେ। ମୁଙ୍ଗେରରେ ଅରୁଣଙ୍କର ନିଜର ବ୍ୟବସାୟ ରହିଛି। ଫେରିବା ସମୟରେ ଅଚାନକ ଖୋର୍ଦ୍ଧା ରେଳ ଷ୍ଟେସନରେ ଅରୁଣ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ବୟସ ୭୨ ବର୍ଷ ହୋଇଥିବା ଜଣାପଡ଼ିଛି। ପତ୍ନୀ ଉତ୍ତରା ଏହି ସମୟରେ କିଛି ଚିନ୍ତା ନକରିପାରି ପାଖରେ ଥିବା ସହଯାତ୍ରୀଙ୍କଠାରୁ ସାହାଯ୍ୟ ମାଗିଥିଲେ। ଏମିତିକି ସେମାନଙ୍କୁ ଖଡ଼ଗପୁର ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରିବାକୁ ଫୋନ୍ ଯୋଗେ ମୃତକଙ୍କ ପରିବାର ତରଫରୁ ଅନୁରୋଧ କରାଯାଇଥିଲା। କିନ୍ତୁ କରୋନା ଡରରେ ତାଙ୍କୁ କେହି ସାହାଯ୍ୟ କରିନଥିଲେ। ବରଂ ଉକ୍ତ ବଗିରୁ ଓହ୍ଲାଇ ଦେବାକୁ ଷ୍ଟେସନ କର୍ତ୍ତୁପକ୍ଷଙ୍କୁ କହିଥିଲେ।ଶେଷରେ ମହିଳା ଜଣଙ୍କ ଉପାୟ ଶୂନ୍ୟ ହୋଇ ମୃତ ସ୍ୱାମୀଙ୍କୁ ଧରି ଖୋର୍ଦ୍ଧା ରେଳ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ଏହି ଖବର ଇଣ୍ଡିଆ କେୟାର୍ସ ନାମକ ଟୁଇଟର ଅନଲାଇନ ସ୍ୱେଚ୍ଛାସେବୀ ସଂସ୍ଥା ଜାଣିବାକୁ ପାଇଥିଲା। ସେମାନେ ବରିଷ୍ଠ ଦମ୍ପତ୍ତିଙ୍କ ବିଷୟରେ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଜଣାଇଥିଲେ। ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଯୋଗରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ସେମାନଙ୍କ ପରିବାର ଲୋକ ନଆସିବା ପର୍ଯ୍ୟନ୍ତ ମହିଳାଙ୍କର ସମସ୍ତ ସୁବିଧା ପ୍ରତି ଧ୍ୟାନ ଦିଆଯାଇଥିଲା।

Comment