ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ନିଷ୍ଠୁର ରୂପ। ଭୂତାଣୁ ଦେଖୁନି ପରିବାର କି ବନ୍ଧୁ ବାନ୍ଧବ। ସବୁଆଡ଼େ ତା’ର କାୟା ବିସ୍ତାର କରିବାରେ ଲାଗିଛି। କେତେବେଳେ କାହାକୁ ବାସହରା କରୁଛି, ତ’ ପୁଣି କେତେବେଳେ କାହା ମୁହଁରୁ ଆହାର ଛଡ଼େଇ ନେଉଛି। ନିଜର ଲୋକଙ୍କୁ ଦୂରେଇ ଦେଉଛି, ପୁଣି କେତେବେଳେ ପୁରା ବଂଶ ଲୋପ କରିଦେଉଛି।

ସେଭଳି ଦୁଃଖଦ ଘଟଣା ଓଡ଼ିଶାର ଏକ ବିଶିଷ୍ଟ ପରିବାରରେ ଦେଖିବାକୁ ମିଳିଛି। ମାତ୍ର ୧୨ଦିନ ଭିତରେ ପରିବାରର ତିନି ତିନୋଟି ମୁଣ୍ଡ ନେଇଛି କରୋନା। ସେ ପରିବାର ହେଉଛି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର। ପ୍ରଥମେ ମେ’ ୯ତାରିଖରେ କରୋନାରେ ଆଖି ବୁଜିଥିଲେ ସ୍ଥପତି ରଘୁନାଥ ମହାପାତ୍ର, ମେ’ ୧୯ତାରିଖରେ ସାନ ପୁଅ ପ୍ରଶାନ୍ତ ମହାପାତ୍ର, ଆଉ ଏବେ ଅର୍ଥାତ୍ ମେ’ ୨୦ରେ ବଡ଼ ପୁଅ ଯଶୋବନ୍ତ ମହାପାତ୍ର।ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରଥରେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।ବୁଧବାର ରଘୁନାଥ ମହାପାତ୍ରଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ପ୍ରଶାନ୍ତ ତାଙ୍କ କ୍ୟାରିୟରରେ ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। ନବେ ଦଶକର ରଣଜୀ ଦଳର ଜଣେ ଦକ୍ଷ ଓପନର ଥିଲେ ପ୍ରଶାନ୍ତ। ଏକାଧିକ ମ୍ୟାଚରେ ତାଙ୍କର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ସେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ।ମେ’ ୯ତାରିଖରେ ଅର୍ଥାତ୍ ଆଜକୁ ଠିକ୍ ୧୨ଦିନ ପୂର୍ବରୁ କରୋନାରେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା। ସେ ମଧ୍ୟ ଏମ୍ସରେ ଚିକିତ୍ସା ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ପଥର କାମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଗତକାଲି ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଦେବା ସମୟରେ କହିଥିଲେ, ତାଙ୍କ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ଚିକିତ୍ସାଧିନ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି।

Comment