ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ) : କରୋନା କାଳରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପ୍ରସ୍ତୁତ ହୋଇଛି ବିଶାଖାପାଟଣା ସ୍ଥିତ ନୌସେନା ବିଭାଗ। ବାତ୍ୟା ୟାସ୍‌କୁ ନେଇ ଅନେକ ଆଲୋଚନା ଚାଲିଥିବାବେଳେ, ସେହି ସମୟରେ ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ନୌସେନା ବିଭାଗ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛି। ଲୋକମାନଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଥଇଥାନ କରିବା ଓ ରିଲିଫ ଯୋଗାଇଦେବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶାର ନୌସେନା ମୁଖ୍ୟାଳୟ ଏବଂ ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡର ନୌସେନା ଅଧିକାରୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା କରାଯାଇଛି।

ଉତ୍ତର ଆଣ୍ଡାମାନ ସାଗରରେ ପ୍ରସ୍ତୁତ ଲଘୁଚାପ ତୀବ୍ର ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ମୁତାବକ, ବଙ୍ଗୋପସାଗରରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ‘ୟାସ୍‌’ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏଥିସହ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଆସନ୍ତା ୨୬ ତାରିଖରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ପକ୍ଷରୁ ୟାସ୍‌ର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖଯାଇଛି। ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛି ନୌସେନା ବିଭାଗ। ବାତ୍ୟା ମୁକାବିଲା ପାଇଁ ନୌସେନା ବିଭାଗ ପକ୍ଷରୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ୮ଟି ସହାୟତା ଟିମ୍ ଓ ୪ଟି ଡାଇଭିଂ ଟିମ୍ ପଠାଯାଇଛି। ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଅଧିକ ପ୍ରଭାବିତ ହେବାକୁଥିବା ଅଞ୍ଚଳଗୁଡ଼ିକରେ ସହାୟତା ପାଇଁ ୪ଟି ନୌସେନା ଜାହାଜ ଡାକ୍ତରୀ ଦଳ ସହିତ ପ୍ରସ୍ତୁତ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।ନୌସେନାର ହେଲିକ୍ୟାପ୍ଟରଗୁଡିକୁ ନାଭାଲ୍ ଏୟାର ଷ୍ଟେସନ, ବିଶାଖାପାଟନମର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟ ଆଇଏନଏସ ରାଜଲିରେ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ରଖାଯାଇଛି। ୟାସ୍ ବାତ୍ୟା ପାଇଁ ବିଶାଖାପାଟଣା ସ୍ଥିତ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ ବିଶାଖାପାଟଣା ଓ ନିକଟସ୍ଥ ଅଞ୍ଚଳର ମତ୍ସଜୀବି, ସମୁଦ୍ରକୂଳିଆ ବାସିନ୍ଦାଙ୍କୁ ଡାକବାଜି ଯନ୍ତ୍ର ଦ୍ଵାରା ସତର୍କ କରାଯାଉଛି। ମତ୍ସଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ସମୟରେ ସମସ୍ତ ପ୍ରକାର ଅସୁବିଧାକୁ ସମ୍ମୁଖୀନ କରିବା ପାଇଁ ବିଶାଖାପାଟଣା ଇଣ୍ଡିଆନ କୋଷ୍ଟ ଗାର୍ଡ଼ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comment