ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କର ପରଲୋକ ହୋଇଯାଇଛି।

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।

ବସନ୍ତ ଦାସ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ଗତ ୩ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ସାମ୍ବାଦିକତା କ୍ଷେତ୍ରରେ ୫ ଦଶନ୍ଧି ଧରି ସେ ସିକ୍ରିୟ  ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ବିୟୋଗରେ ସାମ୍ବାଦିକ ମହଲ ମଧ୍ୟ ସ୍ତବ୍ଧ ହୋଇଯାଇଛି। ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବସନ୍ତ ଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ଓଡ଼ିଶା ରାଜନୀତି ସମ୍ପର୍କୀତ ଦୁଇଟି ପୁସ୍ତକ ‘ରାଜନୀତିର ଗୋପନ କଥା’ ଏବଂ ଇଂରାଜୀ ପୁସ୍ତକ ‘ଫୁଟ୍‌ ପ୍ରିଣ୍ଟ୍‌ସ୍ ଅଫ୍ ଇଭେଣ୍ଟଫୁଲ୍‌ ଡେଜ୍‌’ ରଚନା କରି ରାଜନୀତି ଦୁନିଆକୁ ସମୃଦ୍ଧ କରିଥିଲେ ବସନ୍ତ ଦାସ। ଏହି ଦୁଇଟି ପୁସ୍ତକ ବିଭିନ୍ନ ମହଲରେ ଆଦୃତ ହେବା ପରେ ବସନ୍ତ ଦାସ ‘ଓଡ଼ିଶା ରାଜନୀତି’ ପୁସ୍ତକ ରଚନା କରିଥିଲେ।

୧୯୬୫ ମସିହାରେ ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଆରମ୍ଭ କରିଥିଲେ ବସନ୍ତ ଦାସ। ପରେ ୧୯୯୬ରେ ଅମୃତ ବଜାର ପତ୍ରିକାର ‘ଓଡ଼ିଶା ବ୍ୟୁରୋ ଚିଫ୍‌’ ଭାବରେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ। ଅବସର ପରେ ତାଙ୍କ କଲମ ଥକି ଯାଇ ନଥିଲା। ସେ ପୁସ୍ତକ ପରେ ପୁସ୍ତକ ରଚନା କରି ଚାଲିଲେ।

୨୦୦୨ରୁ ବସନ୍ତ ଦାସ ଜଣେ ମୁକ୍ତ ସାମ୍ବାଦିକ ଏବଂ ସ୍ତମ୍ଭକାର ଭାବେ ସକ୍ରିୟ ଥିଲେ। ଜଣେ ରାଜନୀତିକ ବିଶ୍ଲେଷକ ଭାବେ ବସନ୍ତ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହାସହ ସେ ବିଶ୍ୱର ୨୦ଟି ରାଷ୍ଟ୍ର ଭ୍ରମଣ କରି ‘ଯେ ଦେଶ ଯାଇ, ସେ ଫଳ ଖାଇ’ ଭ୍ରମଣ କାହାଣୀ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

୧୯୪୦ ମସିହା ଜାନୁଆରି ୨ରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ମଇନ୍ଦିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ ବସନ୍ତ ଦାସ। ପିଲାଟି ଦିନରୁ ମା’ଙ୍କୁ ହରାଇଥିବା ବସନ୍ତଙ୍କ ପ୍ରାଥମିକ ଶିକ୍ଷା ଶେଷ ହୋଇଥିଲା ଗାଁ ସ୍କୁଲରେ। ପରେ ବାଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଶେଷ କରି କଟକ ଚାଲି ଆସିଥିଲେ ବସନ୍ତ।

ପ୍ୟାରିମୋହନ ଏକାଡେମୀ ସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ବିଏ ପାଠ ଶେଷ କରିଥିଲେ ବସନ୍ତ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରିଥିଲେ ସେ। ୧୯୬୪ ମସିହାରେ ହୋଇଥିବା ଛାତ୍ର ଆନ୍ଦୋଳନରେ ମଧ୍ୟ ବସନ୍ତ ସାମିଲ ହୋଇଥିଲେ।

କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରୁଥିବା ବେଳେ ବସନ୍ତ ସାମ୍ବାଦିକତା କ୍ଷେତ୍ର ପ୍ରତି ମନ ବଳାଇଥିଲେ। ‘ପ୍ରଜାତନ୍ତ୍ର’ ଏବଂ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ତତ୍କାଳୀନ ସମ୍ପାଦକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବସନ୍ତ। ପରେ ସେ ସାମ୍ବାଦିକତାକୁ ବୃତ୍ତି ଏବଂ ପ୍ରବୃତ୍ତି ଭାବେ ଆପଣାଇ ନେଇଥିଲେ। ଦୈନିକ ଇଂଲିସ ଖବରକାଗଜ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

୧୯୬୬ରୁ ୬୮ ଯାଏଁ କଟକରୁ ପ୍ରକାଶିତ ହେଉଥିବା ଦୈନିକ ‘ଜନଶକ୍ତି’ର ସହସମ୍ପାଦକ ଏବଂ ସ୍ୱତନ୍ତ୍ର ପ୍ରତିନିଧି ରହିଥିଲେ ବସନ୍ତ। ୧୯୬୮ରୁ ୭୧ ଯାଏଁ ‘ଅମୃତ ବଜାର’ ପତ୍ରିକାର ସାମୟିକ ପ୍ରତିନିଧି, ୧୯୭୧ରୁ ୭୨ ଯାଏଁ ‘ସ୍ୱରାଜ୍ୟ’ର ସହ ସମ୍ପାଦକ, ୧୯୭୧ରୁ ୭୯ ଯାଏଁ ‘ଅମୃତ ବଜାର’ ପତ୍ରିକା ଏବଂ ‘ଯୁଗାନ୍ତର’ର ଭୁବନେଶ୍ୱର ପ୍ରତିନିଧି, ୧୯୭୯ରୁ ୮୭ ଯାଏଁ  କଟକ ପ୍ରତିନିଧି ଏବଂ ୧୯୮୭ରୁ ୯୪ ଯାଏଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ।

Comment