ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ     
  • ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର, ସବୁଠି ଦେଖାଦେଇଛି ସଙ୍କଟମୟ ପରିସ୍ଥିତି। ପ୍ରଥମ ଲହର ବେଳେ କୋଭିଡ ଯେଉଁମାନଙ୍କୁ ଛୁଇଁପାରି ନଥିଲା, ଦ୍ଵିତୀୟ ଲହରରେ ସେଠାରେ ପ୍ରବେଶ କରିଛି ମହାମାରୀ। ବଣ ପାହାଡ଼ ଘେରା ପ୍ରାକୃତିକ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଶାର ଜନଜାତିମାନଙ୍କଠାରେ ଏବେ ସଂକ୍ରମଣର ଭୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’।

ଆଜି ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ଏହା ପ୍ରସାରିତ ହେବ। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ସାମିଲ ହୋଇଛନ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ୟୁନିସେଫ୍ ଓଡ଼ିଶାର ନ୍ୟୁଟ୍ରିସନ ସ୍ପେଶାଲିଷ୍ଟ୍ ସୌରଭ ଭଟ୍ଟାଚାର୍ଜୀ, ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଧନାଇ ଚରଣ ଟୁଡୁ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଇଏଲ୍ଆଇପି) ଅଧୀନରେ କାମ କରୁଥିବା ଜଣେ କମ୍ୟୁନିଟି ରିସୋର୍ସ ପର୍ସନ ଗୋବର୍ଦ୍ଧନ ଓ୍ଵାଡ୍‌କା ଏବଂ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଦୀପ୍ ଗ୍ରେସ୍ ଏକ୍କା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଅଛନ୍ତି। ସେହିପରି ଏହି ରେଡିଓ ଧାରାବାହିକର ଉପସ୍ଥାପନା କରୁଛନ୍ତି ନଳିନୀକାନ୍ତ ବିଶ୍ୱାଳ ଏବଂ ପଦ୍ମାବତୀ ଦ୍ୱିବେଦୀ।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

Comment