ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘ଏ’ କାଟାଗୋରୀର ୧୭ ଜିଲ୍ଲାକୁ ଡିଏଲ୍ ଟେଷ୍ଟ ପାଇଁ ଅନୁମତି
  • ଜୁନ୍ ୨୧ ଦିନ ୧୧ଟାରୁ ସ୍ଲଟ ବୁକିଂ ଆରମ୍ଭ
  • ଜୁନ୍ ୨୨ରୁ ହେବ ଡିଏଲ୍ ଟେଷ୍ଟ

ଲକ୍‌ଡାଉନ୍‌ କଟକଣା ଆଂଶିକ କୋହଳ ହେବାପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍‌ସ, ଡ୍ରାଇଭିଂ ଟେଷ୍ଟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପର୍‌ମିଟ୍‌, ଆର୍‌ସି, ଫିଟନେସ ଅବଧିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଏସଟିଏ ପକ୍ଷରୁ ଟୁଇଟ ଜରିଆରେ ସୂଚନା ମିଳିଛି।

ଲକଡାଉନ୍ କଟକଣା ଓ କୋଭିଡ ଗାଇଡଲାଇନ ଅନୁସାରେ ‘ଏ’ କାଟାଗୋରୀରେ ଥିବା ୧୭ଟି ଜିଲ୍ଲାର ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ନୂଆ ଆବେଦନକୁ ବାଦ୍‌ ଦେଇ କେବଳ ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଡିଏଲ୍‌ ସ୍କିଲ ଟେଷ୍ଟକୁ ଅନୁମତି ଦିଆଯାଇଛି। ଏଥିସହ ଏହିସବୁ ଜିଲ୍ଲାଗୁଡ଼ିକରେ ଜୁନ୍ ୨୧ ତାରିଖ ଦିନ ୧୧ଟାରୁ ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ୨୨ତାରିଖରୁ ଡିଏଲ ସ୍କିଲ ଟେଷ୍ଟ ହେବ ବୋଲି ଏସଟିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଡିଏଲ୍ ପାଇଁ ଆସିଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଲକ୍ଷଣ ଥିବା ଓ କଣ୍ଟେନମେଣ୍ଟ ଅଞ୍ଚଳର ଆବେଦନକାରୀଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଆରଟିଓ ଅଫିସରେ ଅଯଥା ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଡିଏଲ୍‌ ଓ ଏଲ୍‌ଏଲ୍‌ ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୭ଟି ଜିଲ୍ଲାରେ ଡିଏଲ, ଫିଟନେସ ପାଇଁ ବାହନ ସେବା ଜୁନ୍ ୧୮ରୁ ଚାଲୁ ରହିବ। ବର୍ତ୍ତମାନ ପରିସ୍ଥିତିରେ ‘ବି’ କାଟାଗୋରୀରେ ଯାଉଥିବା ଜିଲ୍ଲାଗୁଡ଼ିକ ପାଇଁ ଆରଟିଓର କୌଣସି ସେବା ଉପଲବ୍ଧ ନାହିଁ।

Comment