ଓଡ଼ିଶାଲାଇଭ୍ ବ୍ୟୁରୋ

“କରୋନାର ସମ୍ଭାବ୍ୟ ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ। ଏହା ଶିଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ନାହିଁ। ଛୋଟପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ କମ୍ ସଂକ୍ରମିତ ହେବେ। ତେଣୁ ଏବେଠୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ”, କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

ଏବେ ସମଗ୍ର ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣ ଜାରି ରହିଛି। ଆଗକୁ ତୃତୀୟ ଲହର ଆସିବ, ଆଉ ଏହି ତୃତୀୟ ଲହର ଛୋଟପିଲାଙ୍କ ପାଇଁ ବିପଦ ହେବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଅଭିଭାବକମାନେ ଆତଙ୍କିତ ହୋଇପଡ଼ିଛନ୍ତି। କିନ୍ତୁ ସେମାନଙ୍କ ମନରେ ଥିବା ଡରକୁ ଦୂର କରିଛନ୍ତି ଡିଏମଇଟି।ସେ କହିଛନ୍ତି, “ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବା ବିଶେଷଜ୍ଞମାନେ ଆଶଙ୍କା କରୁଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ପାଇଁ ତୃତୀୟ ଲହର କେବଳ ଆକଳନ ମାତ୍ର। ତା’ ଅର୍ଥ ନୁହେଁ ତୃତୀୟ ଲହର ଓଡ଼ିଶାକୁ ଆସିବନି। ମହାରାଷ୍ଟ୍ରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଆସିନାହିଁ।”

ସେ ଆଉ ମଧ୍ୟ କହିଛନ୍ତି, “କରୋନାର ଡେଲ୍‌ଟା ପ୍ଲସ ଭାରିଏଣ୍ଟ ପୃଥିବୀରେ ବହୁତ କମ ଲୋକଙ୍କ ନିକଟରେ ଚିହ୍ନଟ ହୋଇଛି। ଭାରତରେ ମାତ୍ର ୬ଜଣ ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟର ଶିକାର ହୋଇଛନ୍ତି। ଏହା ଉପରେ ଟିକାର ପରୀକ୍ଷଣ କରାଯାଉଛି। ଏଣୁ ଏବେଠୁ ଆତଙ୍କିତ ହୁଅନାହିଁ।”ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଆଜି ରାଜ୍ୟରୁ ୩ହଜାର ୮୦୬ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୩୭ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ। ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କରାଯାଇଛି। ଏହାଛଡ଼ା ଜୁନ ଶେଷ ସପ୍ତାହରେ ଟିକା ଯୋଗାଣ ହେଲେ ଦୈନିକ ୩ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

Comment