ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଇଣ୍ଟେନସିଭ୍ କେୟାର(ଆଇସିୟୁ) ୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏଥିସହିତ କୋଭିଡ୍ ଭୂତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସଠାରେ ଦୁଇଟି ଅକ୍ସିଜେନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନୟାଗଡ଼ ଜିଲ୍ଲା ହସ୍ପିଟାଲର ଆଇସିୟୁ ଚିକିତ୍ସା ବ୍ୟବସ୍ଥା ଲାଗି ୨କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯାଇଛି। ସେହିପରି ଚାନ୍ଦପୁରଠାରେ ପ୍ରତିଷ୍ଠା ହେବାକୁଥିବା ଦୁଇ ଅକ୍ସିଜେନ ପ୍ରକଳ୍ପ ମଧ୍ୟରେ ଗୋଟିଏ ୪୦୦ (ଏଲପିଏମ୍‌) ଉତ୍ପାଦନ ସକ୍ଷମ ପ୍ରକଳ୍ପ ଓ ଅନ୍ୟଟି ୬(କେଏଲ୍‌) ତରଳ ଅକ୍ସିଜେନ ସଂରକ୍ଷଣ ପ୍ରକଳ୍ପ ରହିଛି। ଏଥି ନିମନ୍ତେ ଏପର୍ଯ୍ୟନ୍ତ ବ୍ୟୟ ବରାଦ ପରିମାଣ ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ଉଦ୍ଘାଟନୀ ସମାରୋହରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ହସ୍ପିଟାଲ ପରିସରରେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶକ୍ତି ପ୍ରକାଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସେଠାରେ ଉପସ୍ଥିତ ରହିଥିଲେ।

ଗତ କିଛି ମାସ ପୂର୍ବେ ରାଜ୍ୟ ସରକାର ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଣ୍ଟେନସିଭ୍ କେୟାର(ଆଇସିୟୁ) ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିଲେ ।

Comment