ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ୨୧ ଜୁନ୍ ୨୦୨୧, ସୋମବାରଠାରୁ ଜିଲ୍ଲାର ସମସ୍ତ ପୌରପାଳିକା ଓ ୧୭ଟି ବ୍ଲକର ଏହି ଟିକାକରଣ ଚାଲିଛି ଅର୍ଥାତ୍, ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏକ ସମୟରେ ଟିକାକରଣ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଟିକାକରଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର) ସହ ମୋଟ ୫୯ଟି ଟିକାକରଣ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ହିତାଧିକାରୀମାନେ ପ୍ରଶାସନ ଜାରି କରିଥିବା ଚୂଡ଼ାନ୍ତ ତାଲିକା ଦେଖି ନିକଟସ୍ଥ କେନ୍ଦ୍ରରେ ଟିକାକରଣ ପାଇଁ ପଞ୍ଜୀକରଣ କରିପାରିବେ। ବିଭିନ୍ନ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ ଜାରି ରହିବ।ପୂର୍ବରୁ ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ୧୮ରୁ ୪୪ ଓ ୪୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଅଲଗା ଦୁଇଟି ଥାକରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିଲା। ତେବେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ସମସ୍ତ ବର୍ଗଙ୍କ ପାଇଁ ଗୋଟିଏ ଥାକରେ ଟିକା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାକରଣ ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ କୋଓ୍ୱିନ୍ ପୋର୍ଟାଲ୍ ବା ଆପ୍ ରେ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ ଏହାପରେ, ମିଳୁଥିବା ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଲାଗି ସ୍ଲଟ୍ ବୁକ୍ କରିବାକୁ ପଡ଼ିବ। ତେଣୁ ୨୧ ତାରିଖରୁ ଆରମ୍ଭ ହେଉଥିବା ଜିଲ୍ଲା ବ୍ୟାପି ଟିକାକରଣ କାର୍ଯ୍ୟକ୍ରମ ପାଇଁ ଇତି ମଧ୍ୟରେ ସ୍ଲଟ୍ ଖୋଲାଯାଇଛି।ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଅନସାଇଟ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଯାଉଛି ତେବେ ଆଗୁଆ ନିଜ ନିଜର ସ୍ଲଟ୍ ବୁକ୍ କରି ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ରକୁ ନିର୍ଦ୍ଧାରିତ ସମୟରେ ଆସି ଟିକା ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲ୍ଲାକୁ ମିଳୁଥିବା ଟିକାର ପରିମାଣ ଅନୁଯାୟୀ ଅନଲାଇନ୍ ଓ ଅନସାଇଟ୍ ଉଭୟ ପଞ୍ଜୀକରଣ ପାଇଁ ସମାନ ସଂଖ୍ୟକ ଡୋଜର ବ୍ୟବସ୍ଥା କରାଯାଉଛି।
ଅଧିକ ସଂଖ୍ୟାରେ ଲୋକ ଆସି ଟିକାକରଣ କେନ୍ଦ୍ରରେ ଭୀଡ଼ ନକରିବାକୁ ପ୍ରଶାସନ ଅନୁରୋଧ କରିଛି। ତା’ ସହିତ ହିତାଧିକାରୀମାନେ ଭଲକରି ମାସ୍କ ପିନ୍ଧିବା ଏବଂ ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ସହ ଟିକାକରଣରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ, କ୍ଷେତ୍ର ସହଯୋଗୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡର ଚେନ୍ ଭାଙ୍ଗିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେଣୁ ବିଭିନ୍ନ ବୟସ ବର୍ଗର ହିତାଧିକାରୀଙ୍କ ସହ ଯୋଜନାବଦ୍ଧ ଭାବେ ବିଭିନ୍ନ ବିପଦଶଙ୍କୁଳ ବର୍ଗଙ୍କ ଟିକାକରଣ କରାଯାଉଛି ଏ ପର୍ଯ୍ୟନ୍ତ ମୋଟ ପ୍ରାୟ ୫ ଲକ୍ଷ ୧୭ ହଜାର ଡୋଜ୍ ଟିକା ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହି ଅବସରରେ ସୂଚନା ଦେଇଛନ୍ତି।
କୋଭିଡ୍ ଚିକିତ୍ସା, ପରୀକ୍ଷା ଓ ଟିକାକରଣ ସଂପର୍କରେ ଜନସାଧାରଣଙ୍କୁ ବିଭିନ୍ନ ସୂଚନା ଓ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ତେଣୁ ଆବଶ୍ୟକ ହେଲେ ଏହି ୨୪ଘଣ୍ଟିଆ ନିଃଶୁକ୍ଳ ନମ୍ବର ୧୮୦୦ ୩୪୫ ୭୪୬୧ ସହ ଆପଣ ସଂପର୍କ କରିପାରିବେ।