ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମ ଝିଅ ଦୀପଶିଖା ଛେତ୍ରୀ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ମହିଳା ଅଧିକାରୀ ଭାବେ ସେ ସେନାରେ ଯୋଗଦେଇ ଅନେକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମୟ ଥିଲା ମହିଳାଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଥିଲା। କିନ୍ତୁ ଏବେ ସମୟ ବଦଳିଛି। ସମୟ ସହ ଲୋକମାନଙ୍କ ଭାବନା ଓ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସିଛି। ଅନ୍ୟପକ୍ଷରେ ମହିଳାଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି। ମହିଳାମାନେ ବିମାନ ଚଳାଇବାଠୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ସୁବଠି ସିଦ୍ଧହସ୍ତ। ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାକୁ ଦେଖାଇ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ତଥାପି ସେନାରେ ମହିଳାଙ୍କ ସ୍ଥିତି ଟିକେ କମ୍ ରହିଆସିଛି। ଏବେବି ଭାରତୀୟ ସେନାରେ ପୁରୁଷଙ୍କ ପ୍ରଧାନ୍ୟ ରହିଥିବା ଦେଖିବାକୁ ମିଳୁଛି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏଥିରେ ମଧ୍ୟ ପରିବର୍ତ୍ତନ ହୋଇଛି।ମହିଳାମାନେ ସେନାରେ କେବଳ ଯୋଗ ଦେଉନାହାନ୍ତି, ସେନାର ଅଧିକାରୀ ଭାବେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। କେନ୍ଦ୍ର ସରକାର କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିସନ ନିଯୁକ୍ତି ଦେଇଥିଲେ। ଫଳରେ ଏବେ ଅନେକ ମହିଳା ସେନାରେ ଅଧିକାରୀ ପଦରେ ରହିଆସୁଛନ୍ତି। ଏଭଳି ଜଣେ ମହିଳା ଅଧିକାରୀ ହେଲେ ଦୀପଶିଖା ଛେତ୍ରୀ। ସେ ଏବେ କାଶ୍ମୀର ଘାଟିର ଫ୍ରଣ୍ଟ ଲାଇନରେ ନିଯୁକ୍ତ ହୋଇଛନ୍ତି। ତାଙ୍କର ଦକ୍ଷତା ଓ ସାହସକୁ ନେଇ ଏବେ ସବୁଠି ଚର୍ଚ୍ଚା।ଦୀପଶିଖା ଛେତ୍ରୀ, ସିକ୍କିମର ଗ୍ୟାଙ୍ଗଟକରେ ରହୁଥିବା ରାଜେନ୍ଦ୍ର ଛେତ୍ରୀ ଓ ବିନ୍ଦୁ ଛେତ୍ରୀଙ୍କ ଝିଅ। ଗ୍ୟାଙ୍ଗଟକରେ ତାଙ୍କର ଜନ୍ମ। ପିଲାବେଳୁ କିଛି କରି ଦେଖାଇବାର ସ୍ଵପ୍ନ ନେଇ ସେ ଜଣେ ଡାକ୍ତର ହୋଇଥିଲେ। ସିକ୍କିମର ମନିପାଲ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ କଲେଜରୁ ଏମବିବିଏସ୍ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ହେଲେ ଏତିକିରେ ସେ ଅଟକି ନଥିଲେ। ଜନ୍ମ ମାଟିର ସେବା କରିବା ପାଇଁ ମନରେ ଥିବା ଆଗ୍ରହ ତାଙ୍କୁ ଆଜି ନୌସେନାରେ ଅଧିକାରୀ କରିପାରିଛି। ସେନା ପାଇଁ ହେଉଥିବା ଡାକ୍ତରୀ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିବା ସହ ମହିଳାଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। କିଛି ଦିନ ନୌସେନାରେ ପାଇଲଟଭାବେ କାମ କରିବା ପରେ ଏବେ କାଶ୍ମୀରରେ ଫ୍ରଣ୍ଟ ଲାଇନ ସେନାରେ ନିଯୁକ୍ତି ପାଇଛନ୍ତି। ସେ ଏବେ ୮ ମାସ ଧରି ସେଠାରେ କାମ କରିବେ। ସିକ୍କିମର ଦ୍ଵିତୀୟ ମହିଳା ଭାବେ ସେ ସେନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ତେବେ କାଶ୍ମୀର ଭଳି ଅଞ୍ଚଳରେ ଏହି ଦାୟିତ୍ଵ ମିଳିବା ନିଶ୍ଚିତ ପକ୍ଷେ ବଡ ଚ୍ୟାଲେଞ୍ଜ।ପାକିସ୍ତାନର ଆତଙ୍କବାଦୀଙ୍କୁ ସାମ୍ନା କରିବା, ଘାଟିରେ ସୁରକ୍ଷାକର୍ମୀଙ୍କ ପାଇଁ ସବୁବେଳେ ଏକ ଆହ୍ଵାନ ସୃଷ୍ଟି କରିଥାଏ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେଠାରେ ଆତଙ୍କବାଦୀଙ୍କୁ ଦମନ କରିବାକୁ ତାଙ୍କୁ ନିଯୁକ୍ତି ମିଳିବା ନିଶ୍ଚିତ ପକ୍ଷେ ତାଙ୍କ ପାଇଁ ଏକ ବଡ ସଫଳତା। ସମୁଦ୍ର ପତନ ଠାରୁ ପ୍ରାୟ ୧୦ହଜାର ଫୁଟ ଉଚ୍ଚରେ ଥିବା କାଶ୍ମୀର ଘାଟିରେ ଦୀପଶିଖା ନିଯୁକ୍ତି ପାଇଛନ୍ତି।

ପ୍ରଥମେ ଜଣେ ଡାକ୍ତର ଓ ପରେ ସେନା ଅଧିକାରୀ ହୋଇଥିଲେ ଦୀପଶିଖା। ଯାହାକୁ ନେଇ ସେ ଗର୍ବ କରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ କହିଥିଲେ।ଦୀପଶିଖା ଆଉ ମଧ୍ୟ କହିଛନ୍ତି, “ସେନାରେ ଯୋଗ ଦେବା ତାଙ୍କ ପାଇଁ ଗର୍ବ ଓ ଗୌରବ। ପିଲାଟିବେଳୁ ସେନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ତେଣୁ ଡାକ୍ତର ହେବା ପରେ ବି ସେନାରେ ସାମିଲ ହେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ସବୁ କିଛି କରିପାରିବେ। ଏଥିପାଇଁ କେବଳ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ଦରକାର।”

ଦୀପଶିଖାଙ୍କ ଏଭଳି ସାହାସିକ କାମ ପାଇଁ ସେ ଏବେ ଅନେକ ଯୁବତୀଙ୍କ ପ୍ରେରଣାର ଉତ୍ସ। ତାଙ୍କୁ ନେଇ ତାଙ୍କ ପରିବାର ବର୍ଗଙ୍କ ସମେତ ସମଗ୍ର ଦେଶ ଗର୍ବ କରୁଛି।

Comment