ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁ ରେ ଆସୁନି ନେଟୱାର୍କ। ଗାଁଠାରୁ ଦୁଇ କିଲୋମିଟର ଦୂରକୁ ଯାଇ ପାହାଡ଼ ଉପରେ ଏବଂ ଗଛ ମୂଳେ ବସି ଅନଲାଇନ ଓ ୟୁଟ୍ୟୁବ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲା ଉପାନ୍ତ ଆଦିବାସୀ ଅଞ୍ଚଳମାନଙ୍କରେ ଦେଖିବାକୁ ମିଳିଛି। ଗୋଟିଏ ପଟେ ନେଟୱାର୍କ ଚିନ୍ତା ଓ ଅନ୍ୟପଟେ ଆର୍ଥିକ ଅସୁବିଧା ଯୋଗୁଁ ସମସ୍ତେ ମୋବାଇଲ କିଣିବାକୁ ସକ୍ଷମ ନୁହଁନ୍ତି। ଏପରି ସ୍ଥିତିରେ ଛାତ୍ରଛାତ୍ରୀମାନେ କିଭଳି ଅନଲାଇନରେ ୟୁଟ୍ୟୁବ କ୍ଲାସ କରିବେ ସେନେଇ ଚିନ୍ତାରେ ଅଭିଭାବକ।କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଗାଁଗୁଡ଼ିକରେ ଦେଖା ଦେଉଛି ନେଟୱାର୍କ ସମସ୍ୟା। ତେଣୁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଗାଁଠାରୁ ଦୂରକୁ ଯାଇ ପାହାଡ଼ ଉପରେ ଏବଂ ଗଛ ମୂଳରେ ବସି କ୍ଲାସ କରୁଛନ୍ତି। ବର୍ଷା ଯୋଗୁଁ ଅନେକ ସମୟରେ କ୍ଲାସ କରିବା ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ପାଠ ପଢ଼ା ପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀମାନେ ଏଭଳି ସମସ୍ୟା କାରଣରୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା। ଏଥିସହ ଗାଁ ଚାରିପଟେ ଜଙ୍ଗଲ ଥିବାରୁ ସବୁ ସମୟରେ ପାହାଡ଼ ଚଢ଼ି ପାଠ ପଢ଼ିବା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମଧ୍ୟ କହିଛନ୍ତି ଗାଁ ଲୋକେ।ଏଭଳି ପରିସ୍ଥିତିରେ ସରକାର କିଛି ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଗାଁ ଲୋକ। ନହେଲେ ଏଠାକାର ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ହେବେ।

କରୋନା କାଳରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ରାଜ୍ୟରେ ସ୍କୁଲ କଲେଜ ସବୁ ବନ୍ଦ କରି ଦିଆଯାଇଛି। ଫଳରେ ସେମାନଙ୍କ ପାଠପଢ଼ାରେ ବାଧା ଉପୁଜିଛି। ଏଥିରେ ସୁଧାର ଆଣିବା ପାଇଁ ସରକାର ଅନଲାଇନ ଏବଂ ୟୁଟ୍ୟୁବ ପାଠ ପଢ଼ାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରଙ୍କର ଏହି ବ୍ୟବସ୍ଥା ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ସାତସପନ ପାଲଟିଛି।

Comment