ଓଡ଼ିଶାଲାଇଭ୍ ବ୍ୟୁରୋ

ବାର୍‌ହା ଶିକାର ଅଭିଯୋଗରେ ନୟାଗଡ଼ ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ଦଶପଲ୍ଲା ବନ କର୍ମଚାରୀ ଗିରଫ କରିଛନ୍ତି। ସେମାନଙ୍କଠାରୁ ଗୋଟିଏ ମୃତ ବାର୍‌ହା ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଦଶପଲ୍ଲା ଥାନା ଟାଙ୍ଗୀସାହି ଗାଁର ଭାଗିରଥୀ ଜାନୀ ଓ ତ୍ରିଲୋଚନ ଜାନୀ। ଦୁଇ  ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଆଇନର ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଛି।

ଏକ ମୃତ ବାର୍‌ହାକୁ ବାଇକରେ ଧରି ଭାଗିରଥୀ ଏବଂ ତ୍ରିଲୋଚନ କୁଆଁରୀଆ ଡ୍ୟାମ ରାସ୍ତାରେ ଯାଉଥିଲେ। ଏହି ସମୟରେ ନାଇଟ ପ୍ୟାଟ୍ରୋଲିଂ କରୁଥିବା ଦଶପଲ୍ଲା ବନ କର୍ମଚାରୀ ସେମାନଙ୍କୁ ଦେଖିଥିଲେ। ଏହାପରେ ବନ କର୍ମଚାରୀମାନେ ସେମାନଙ୍କ ପିଛା କରି ଶେଷରେ ସେମାନଙ୍କୁ କାବୁ କରିଥିଲେ।  ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ହେଉଥିବା ଖବର ଲୋକ ଲୋଚନକୁ ଆସୁଛି। କିଛି ଦିନ ପୂର୍ବେ ଜିଲ୍ଲାର ଗଣିଆଁ ଏବଂ ଓଡ଼ଗାଁ ଆଦି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଅପରାଧରେ ଏକାଧିକ ଅଭିଯୁକ୍ତ ଗିରଫ ହୋଇଥିବା ନଜିର ରହିଛି। ତେବେ ଏହି ବେଆଇନ ବନ୍ୟପ୍ରାଣୀ ଶିକାର ରୋକିବା ଦିଗରେ ବନ ବିଭାଗ ଅଧିକ ସତର୍କ ରହିବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି।

Comment