ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ ୧୦ ହଜାର ଶିକ୍ଷକ ପଦବୀ ପୂରଣ ହେବ। ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ, ପିଇଟି(ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କ ସମେତ ୬ ହଜାର ଟିଜିଟି(ତାଲିମ ପ୍ରାପ୍ତ ଗ୍ରାଜୁଏଟ୍‌ ଟିଚର) ନିଯୁକ୍ତି ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ରାଜ୍ୟରେ ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏହି ପ୍ରବେଶିକା ପରୀକ୍ଷା ସିବିଟି(କମ୍ପ୍ୟୁଟର ବେସଡ୍‌ ଟେଷ୍ଟ) ମାଧ୍ୟମରେ ହେବା ନେଇ ସୂଚନା ରହିଛି। ସିବିଟି ମାଧ୍ୟମରେ ପରୀକ୍ଷା ପାଇଁ ଏକ ସ୍ଵତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ। ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ।ପୂର୍ବରୁ ଯୋଗ୍ୟତା ଓ ମାର୍କିଂ ଆଧାରରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କରାଯାଉଥିଲା। କିନ୍ତୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ସରକାରଙ୍କ ତରଫରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଦେଖାଯାଉଛି। ଫଳରେ ଛାତ୍ରଛାତ୍ରୀମାନଙ୍କର ପାଠ ପଢ଼ାରେ ବାଧା ଉପୁଜୁଛି। ବିଶେଷ କରି ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ବହୁ ଶିକ୍ଷକ ପଦ ଖାଲିପଡ଼ିଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଖୁବଶୀଘ୍ର ଶିକ୍ଷକମାନଙ୍କ ପଦ ପୂରଣ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଅନ୍ୟପକ୍ଷରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଥିବା ଏବଂ ଇଣ୍ଟରନେଟ୍ ନଥିବା ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଯୋଜନା କରାଯାଇଛି। ପାଖାପାଖି ୧୦ହଜାର ଗାଁରେ ଘରକୁ ଘର ବୁଲି ପାଠ ପଢ଼ାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ। ଜଣେ ଶିକ୍ଷକ ଏକା ସାଙ୍ଗରେ ୧୦ଜଣ ପିଲାଙ୍କୁ ଶିକ୍ଷା ଦାନ କରିପାରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Comment