ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଅଗଷ୍ଟ ୧୨ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଏଥିସହ ଚଳିତ ବର୍ଷ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ। ଚଳିତ ବର୍ଷ ସେଲ୍ଫ ଫାଇନାନ୍ସ ବା ସରକାରୀ କୋର୍ସ ଫି’ ବୃଦ୍ଧି କରାଯିବ ନାହିଁ।”

ଅନ୍ୟପଟେ ଏବର୍ଷ ଦଶମ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ, ଯୁକ୍ତ ଦୁଇରେ ଆଡମିସନ ନେଇ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହାପରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଗଣଶିକ୍ଷା ବିଭାଗ ତରଫରୁ ସ୍ପଷ୍ଟ କରାଯାଇଥିଲା।ତେବେ ସିଟ୍ ସଂଖ୍ୟା ବୃଦ୍ଧି ନେଇ ମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ ବିଜ୍ଞାନରେ ୧୩ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଛି। ସେହିପରି କଳାରେ ୩୮ହଜାରକୁ ଅନୁମତି ଦିଆଯାଇଛି ଏବଂ ବାଣିଜ୍ୟରେ ୩ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି।”

Comment