ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦେଖି ବଡ ନିଷ୍ପତ୍ତି ନେଇଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। କରୋନା ସମୟରେ କ୍ଲାସ ହେଲେ ସଂକ୍ରମଣର ଭୟ ରହିଛି। ତେଣୁ ନବମ ଓ ଏକାଦଶ କ୍ଲାସ ବନ୍ଦ ଘୋଷଣା କରାଯାଇଛି। ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ ବନ୍ଦ ରହିବ । ଆସନ୍ତା ଏପ୍ରିଲ ୩୦ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୮ ଅର୍ଥାତ୍ ଆସନ୍ତା କାଲିଠାରୁ ଏହି ନିୟମ ଲାଗୁହେବ।

ଅଫଲାଇନ କ୍ଲାସ ବନ୍ଦ ରହିବା ହେତୁ ଯେଉଁମାନେ ହଷ୍ଟେଲ ଓ ଆବାସିକ ସ୍କୁଲରେ ରହୁଛନ୍ତି, ସେମାନଙ୍କୁ ଘରକୁ ଚାଲିଯିବାକୁ କୁହାଯାଇଛି। ସେମାନେ ଘରେ ରହି ଅନଲାଲାଇନ୍‌ରେ ପାଠ ପଢ଼ି ପାରିବେ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାକୁ ନଜରରେ ରଖି ଏପ୍ରିଲ ୨୫ ପର୍ଯ୍ୟନ୍ତ କ୍ଲାସ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଥିବାବେଳେ, ଫେବ୍ରୁଆରି ୮ରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଥିଲା। ସେହିପରି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରିରେ ସ୍କୁଲ ଖୋଲିଥିଲା। ସରକାରଙ୍କ କରୋନା ଗାଇଡଲାଇନ ଅନୁସାରେ ପାଠ ପଢ଼ାଯାଉଥିଲା। କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହରୀକୁ ଦେଖି ସ୍କୁଲ ବନ୍ଦର ନିଷ୍ପତ୍ତି ନିଆଯାଇଛି।

Comment