ଓଡ଼ିଶାଲାଇଭ୍ ବ୍ୟୁରୋ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ପୋଲିସକୁ ମିଳୁଛି। ଏହି ଘଟଣାର ତଦନ୍ତ ଚାଲିଥିବାବେଳେ, ଆଜି ପୋଲିସକୁ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି ମିଳିଛି। ଏହି ଚିଠିକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଚଳାଇଛି।

“ହେ ପ୍ରଭୁ, କିଛି ବି କରିକି ଡିଭୋର୍ସ କରାଇଦିଅ। ତୁମ ପାଖରେ ଋଣୀ ରହିବି। ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି। ଏମିତି ମଣିଷ ମୁଁ ମୋ ଜୀବନରେ କେବେ ଦେଖିନି।” ଏଭଳି ଅନେକ କିଛି ଉକ୍ତ ଚିଠିରେ ଲେଖିଛନ୍ତି ବିଦ୍ୟାଭାରତୀ।

ପୂର୍ବରୁ ତଦନ୍ତ ସମୟରେ ମଧ୍ୟ ଏକ ଚିଠି ମିଳିଥିଲା। ସେଥିରେ ବିଦ୍ୟାଭାରତୀ ଲେଖିଥିଲେ, “ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ। ହେ ପ୍ରଭୁ, ସବୁ ଭୁଲକୁ କ୍ଷମା କର। ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ। କେମିତି ଆଉ ୩ ଦିନ କଟିବ। ଏହାପରେ ଶାନ୍ତିରେ ରହିବି।”ଏପେଟ ପତ୍ନୀଙ୍କର ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ପୋଲିସକୁ ମିଳୁଥିବାବେଳେ, ଏପର୍ଯ୍ୟନ୍ତ ମୃତ୍ୟୁ ମାମାଲାକୁ ନେଇ କୌଣସି ସଠିକ୍ ପ୍ରମାଣ ପୋଲିସ ପାଇପାରୁନାହିଁ। ଏହି ଘଟଣାରେ ବୋହୂଙ୍କୁ ଦୋଷୀ କରୁଛନ୍ତି ସୌମ୍ୟଙ୍କ ପରିବାର।

ଆଜି ଘଟଣାର ଅଧିକ ତଦନ୍ତ କରିବା ପାଇଁ ପୋଲିସ ଟିମ୍ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଇଥିଲା। ସେଠାରେ ଟିକିନିଖି କରି ସମସ୍ତ ଅନୁଧ୍ୟାନ କରିବାପରେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ସେ କହିଛନ୍ତି, “ଘଟଣାଟି ଘର ଭିତରେ ହିଁ ଘଟିଛି। ଘରର କିଛି ସ୍ଥାନରେ ପୋଡ଼ା ଦାଗ ରହିଛି। ଘରର ପଛ ପଟ କବାଟର କିଛି ଅଂଶରେ ନିଆଁ ଲାଗିଛି। ୯ଫୁଟ ଉଚ୍ଚରେ ଲାଗିଥିବା ମଶାରୀରେ ନିଆଁ ଲାଗିବା ଦ୍ଵାରା ପୋଡ଼ିଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଆମେ ଜାଣିବାକୁ ପାଇନାହୁଁ ନିଆଁ କେମିତି ଲାଗିଲା।”

ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତି ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ମୂତାବକ, ତାଙ୍କ ପୁଅକୁ ଅନ୍ୟତ୍ର ପୋଡ଼ା ଯାଇ ଘର ଭିତରକୁ ଆଣାଯାଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତା’ର ତଦନ୍ତ ଚଳାଇଥିବାବେଳେ, ପୋଲିସ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

LEAVE A REPLY

Please enter your comment!
Please enter your name here