ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସମଗ୍ର ରାଜ୍ୟରେ ନିର୍ମାଣ ହେବାକୁ ଯାଉଛି ୮୯ଟି ଷ୍ଟାଡିୟମ। ଏଥିରୁ ନୟାଗଡ଼ ଜିଲ୍ଲାରେ ୫ଟି ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ହେବ। ଏଥିସହ ପୂର୍ବରୁ ନୟାଗଡ଼ ଜିଲ୍ଲା ହେଡକ୍ଵାର୍ଟରେ ଥିବା ଷ୍ଟାଡିୟମର ଉନ୍ନତିକରଣ କରିବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ଜରିଆରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କ୍ରୀଡ଼ାକୁ ଅଧିକ ଗୁରୁତ୍ଵ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର। ଏଥିରୁ ନୟାଗଡ଼ ଜିଲ୍ଲା ଭାଗରେ ୫ଟି ପଡ଼ିଛି।ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମନ୍ତ୍ରୀଙ୍କ ନେତୃତ୍ୱରେ କିଛି କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଟ୍ରାଫିକ ଛକ ପର୍ଯ୍ୟନ୍ତ ଯାଇଥିଲେ।