ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିକମ କମ୍ପାନି ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବା ନେଇ ଏକ ସଙ୍କଟ ସୃଷ୍ଟି ହୋଇଛି। ଯଦି ଏହି ଟେଲିକମ କମ୍ପାନି ବନ୍ଦ ହୋଇଯାଏ ତା’ହେଲେ ସରକାର ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବେ। ଏବେ ଏହି କମ୍ପାନି ଉପରେ ସ୍ପେକ୍ଟରମ ଓ ଏଜିଆର ଫି’ ବାବଦକୁ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା ବକେୟା ରହିଛି। କମ୍ପାନି କ୍ଷତିରେ ଚାଲୁଥିବାରୁ ଟଙ୍କା ପୈଠ କରିବା ଭୋଡାଫୋନ-ଆଇଡିଆ ପକ୍ଷେ ସମ୍ଭବ ନୁହେଁ ବୋଲି କମ୍ପାନିର ପାର୍ଟନର ଗ୍ରୁପ୍ ଆଦିତ୍ୟ ବିର୍ଲା ନିକଟରେ ସରକାରଙ୍କୁ କହିଛନ୍ତି। ଏହାସହ ସରକାର ଏହି ଟେଲିକମ କମ୍ପାନିକୁ କିଣିବାକୁ ସେ ପ୍ରସ୍ତାବ ଦେଇଥିଲେ।କମ୍ପାନି କ୍ଷତିରେ ଚାଲୁଥିବାରୁ କିଛି ଦିନ ତଳେ ବିର୍ଲା ଗ୍ରୁପ୍ ମୁଖ୍ୟ କୁମାର ମଙ୍ଗଲ ବିର୍ଲା ଭୋଡାଫୋନ–ଆଇଡିଆର ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ଅନ୍ୟପକ୍ଷେ କମ୍ପାନି ପାଖରେ ଏତେ ଟଙ୍କା ନାହିଁ ଯେ, ତାହା ବିଭିନ୍ନ ସଂସ୍ଥାର ଋଣ ପରିଶୋଧ କରିବା ସହ ନିବେଶ କରିପାରିବ ବୋଲି ବିର୍ଲା କହିଥିଲେ। ତେଣୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନି ଭାବେ ପରିଚିତ ଭୋଡାଫୋନ-ଆଇଡିଆ ବୁଡ଼ିବା ସ୍ଥିତିରେ ପହଞ୍ଚିଛି। ଫଳରେ କେନ୍ଦ୍ର ସରକାରଙ୍କର ୧.୬ ଲକ୍ଷ କୋଟି ଟଙ୍କା ମଧ୍ୟ ପାଣିରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।ରିପୋର୍ଟ ଅନୁସାରେ, ଗତ ୧୦ ମାସ ହେଲାଣି ଭୋଡାଫୋନ-ଆଇଡିଆ ବକେୟା ଟଙ୍କା ଭରିବା ପାଇଁ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଉଦ୍ୟମ କରି ଆସିଛି। କିନ୍ତୁ ଏଯାଏଁ ଏହା ସମ୍ଭବ ହୋଇପାରୁନି। ଜଏଣ୍ଟ ଭେଞ୍ଚରରେ ଚାଲୁଥିବା କମ୍ପାନିର ୪୪.୩୯ ପ୍ରତିଶତ ସେୟାର ରଖିଥିବା ଭୋଡାଫୋନ ଗ୍ରୁପ ଓ ୨୭.୬୬ ପ୍ରତିଶତ ସେୟାର ରଖିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ ଆଉ ପୁଞ୍ଜି ନିବେଶ କରିବେ ନାହିଁ ବୋଲି କହି ସାରିଛନ୍ତି। ବିର୍ଲା ଗ୍ରୁପ୍‌ର ମୁଖ୍ୟ କହି ସାରିଛନ୍ତି ଯେ, କମ୍ପାନିରେ ଥିବା ତାଙ୍କ ସେୟାରକୁ ସେ କୌଣସି ସରକାରୀ କିମ୍ବା ଘରୋଇ କମ୍ପାନିକୁ ବିକ୍ରି କରିବାକୁ ଚାହୁଁଛନ୍ତି।ବଡ଼ କ୍ଷତି ସହିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସରକାର

ତେବେ କମ୍ପାନି ବୁଡ଼ିଲେ କେବଳ ସରକାରଙ୍କର ନୁହେଁ, ବ୍ୟାଙ୍କଗୁଡ଼ିକ ମଧ୍ୟ କ୍ଷତି ସହିବେ। କାରଣ ବିଭିନ୍ନ ବ୍ୟାଙ୍କରୁ କମ୍ପାନି ୨୩ ହଜାର କୋଟି ଟଙ୍କାର ଋଣ କରିଛି। ଏହାର ୭୦ ପ୍ରତିଶତ ଅର୍ଥ ପିଏସ୍‌ୟୁ ବ୍ୟାଙ୍କଗୁଡ଼ିକର। ଏହାବାଦ୍‌ ବ୍ୟାଙ୍କଗୁଡ଼ିକ ଭୋଡାଫୋନ-ଆଇଡିଆକୁ ୧ ହଜାର କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି। ତେଣୁ ଏହି ଗ୍ୟାରେଣ୍ଟି ବାବଦ ଅର୍ଥ ମଧ୍ୟ ବୁଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

ଯଦି ଭୋଡାଫୋନ୍-ଆଇଡିଆ ଫେଲ ମାରନ୍ତି, ତେବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସରକାର ଅଧିକ କ୍ଷତିଗ୍ରସ୍ତ ହେବେ। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ ଓ ଏୟାରସେଲର ପତନ ପରେ ଦେଶରେ ଯେଉଁ ଭଳି ସ୍ଥିତି ସୃଷ୍ଟି ହୋଇଥିଲା ଠିକ୍‌ ଅନୁରୂପ ସ୍ଥିତି ଭୋଡାଫୋନ୍-ଆଇଡିଆ କମ୍ପାନି ବନ୍ଦ ହେବା ପରେ ସୃଷ୍ଟି ହେବା ଜଳଜଳ ଦେଖାଯାଉଛି। ଫଳରେ ଦେଶର ଟିକସଦାତାଙ୍କ ଅର୍ଥ ହିଁ ପାଣିରେ ପଡ଼ିବ। ତେବେ ଭୋଡାଫୋନ-ଆଇଡିଆକୁ ନେଇ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

Comment