ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୌଦ୍ଧ ଜିଲ୍ଲାର ଜଣେ ଝିଅ ରିନା ବାଘ ଭୁବନେଶ୍ୱରରେ ଏକ ଓ୍ୱେଲ୍ଡିଂ ଦୋକାନରେ କାମ କରୁଥିଲେ। ଏବେ ତାଙ୍କୁ ଭୁବନେଶ୍ୱର ସରକାରୀ ଆଇ.ଟି.ଆଇରେ ପଢ଼ିବାର ସୁଯୋଗ ମିଳିଛି।

ବୌଦ୍ଧ ଜିଲ୍ଲାର ରିନା ବାଘ। ପାଠ ପଢ଼ିବା ପାଇଁ ଗାଁ ଛାଡ଼ି ଭୁବନେଶ୍ୱର ଆସିଥିଲେ। ହେଲେ କଲେଜ ପାଠପଢ଼ାର ଅଧାରୁ ମାଡ଼ି ଆସିଲା କରୋନା। ସଂକ୍ରମଣ ବଢିବାରୁ ସରକାର ଲାଗୁ କରିଦେଲେ ଲକଡାଉନ। ଫଳରେ ଘରକୁ ଫେରିବା ରିନାଙ୍କ ପାଇଁ ସମ୍ଭବ ହେଲାନି। ସେପଟେ ରିନାଙ୍କ ପରିବାର ଲୋକ ବି ତାଙ୍କ ପାଖକୁ ପଇସା ପଠାଇ ପାରିଲେନି। ଶେଷରେ କିଛି ଉପାୟ ନପାଇ ଭୁବନେଶ୍ୱରରେ ଏକ ୱେଲଡିଂ ଦୋକାନରେ କାମ କଲେ ରିନା। ନିଜ ପ୍ରତିଭା ଯୋଗୁଁ ୱେଲ୍ଡିଂ ଦୋକାନରେ କାମ କରୁଥିବା ରିନା ଏବେ ଭୁବନେଶ୍ୱର ସରକାରୀ ଆଇ.ଟି.ଆଇରେ ତାଲିମ୍‌ ନେଉଛନ୍ତିା

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ଚାଲିଥିଲା ‘କେତେ ନୂଆ ବାଟ ସିଜିନ ୨’। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଥିଲେ। ଏଥିରେ ରିନା ବାଘ ଯୋଡ଼ି ହୋଇ ତାଙ୍କ କାହାଣୀ ସମ୍ପର୍କରେ କହିଥିଲେ।

‘‘ମୋର ଯୁକ୍ତ ୨ ପାଠପଢ଼ା ସରିନଥିଲା, କରୋନା ଆସିଲା। ସରକାର ଲକଡାଉନ୍‌ ଘୋଷଣା କରିଦେଲେ। ମୁଁ ଘରକୁ ଯାଇପାରିଲିନି। ଭୁବନେଶ୍ୱରରେ ରହିବା ପାଇଁ ମୋ ପାଖରେ ଟଙ୍କା ବି ନଥିଲା। ଟଙ୍କା ପାଇଁ ମତେ ଏକ ଓ୍ୱେଲ୍ଡିଂ ଦୋକାନରେ କାମ କରିବାକୁ ପଡ଼ିଲା ’’, କହିଛନ୍ତି ରିନା ବାଘ।

କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ମିଳେ। ରିନା ମଧ୍ୟ ସେମିତି ଦୃଢ଼ ଇଚ୍ଛା ରଖିଥିଲେ। ରିନାଙ୍କୁ ଓ୍ୱେଲ୍ଡିଂ ଦୋକାନରେ ରଙ୍ଗ ଦେବା କାମ ମିଳିଥିଲା। ରଙ୍ଗ ଦେବା କାମ କରିବା ଭିତରେ ସେ ଅନ୍ୟମାନଙ୍କଠାରୁ ଓ୍ୱେଲ୍ଡିଂ କାମ ଦେଖି ଦେଖି ଶିଖିଯାଇଥିଲେ। ଝିଅଟିଏ ଓ୍ଵେଲଡିଂ କରୁଥିବା ଦେଖି ସମସ୍ତେ ଚକିତ ହୋଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ରିନାଙ୍କ ଓ୍ଵେଲ୍ଡର ଗର୍ଲ ହେବାର ସ୍ଵପ୍ନ। ତାଙ୍କୁ ଭୁବନେଶ୍ୱରରେ ଥିବା ସରକାରୀ ଆଇଟିଆଇରେ ତାଲିମ ନେବାକୁ ସୁଯୋଗ ମିଳିଲା। ରିନାଙ୍କ ନାମଲେଖାଠାରୁ ଆରମ୍ଭ କରି ରହିବା, ଖାଇବା ସମସ୍ତ ଖର୍ଚ୍ଚ ବହନ କରୁଛି ଏବେ ତାଙ୍କ ଶିକ୍ଷାନୁଷ୍ଠାନ।

ଓ୍ଵେଲ୍ଡର ଟ୍ରେଡ୍ରେ ତାଲିମ ନେଉଥିବା ରିନା ଏହାରି ମଧ୍ୟରେ ନାସା ପକ୍ଷରୁ ହୋଇଥିବା ଏକ ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଓଡ଼ିଶାରୁ ୧୦ ଜଣଙ୍କ ଭିତରେ ଭାଗ ନେଇ ନିଜ ପ୍ରତିଭା ଦେଖାଇଛନ୍ତିା କେବଳ ସେତିକି ନୁହେଁ, ନାସାର ହ୍ୟୁମାନ ଏକ୍ସପ୍ଲୋରେସନ୍ ପକ୍ଷରୁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଇଛିା ଆଗାମୀ ଦିନରେ ରିନା ଆହୁରି ଭଲ କାମ କରିବାକୁ କଡ଼ା ପରିଶ୍ରମ କରୁଛନ୍ତିା

Comment