ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା: ରାଉରକେଲା ସହରର ଉଦିତ ନଗର ପଡ଼ିଆଠାରେ ରବିବାର ୭୫ତମ ସ୍ୱାଧୀନତା ଦିବସ କୋଭିଡ୍ ସତର୍କତା ଭିତରେ ପାଳନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ତଥା ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

“ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ର ମାଟି ମାଇକେଲ କିଣ୍ଡୋ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଲାଜରୁସ୍ ବାର୍ଲା, ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ସୁନୀତା ଲାକ୍ରାଙ୍କ ଭଳି ଅନେକ ଅନ୍ତର୍ଜାତୀୟ ହକି ତାରକାଙ୍କୁ ଜନ୍ମ ଦେଇଛି। ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ରଚିଥିଲା। ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଓ ନମିତା ଟୋପ୍ପୋ ସେହି ଐତିହାସିକ ଦଳର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ମାଟି ସମେତ ଆମ ରାଜ୍ୟକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛନ୍ତି’’,  ସ୍ୱାଧୀନତା ଦିବସ ସମାରୋହକୁ ସମ୍ବୋଧିତ କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହା କହିଥିଲେ।‘‘ବିଶ୍ୱ କ୍ରୀଡ଼ା ଆୟୋଜନରେ ଓଡ଼ିଶାକୁ ଅଗ୍ରଣୀ କରାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ପ୍ରତି ସୁନ୍ଦରଗଡ଼ ମାଟିର ପ୍ରତିବଦ୍ଧତାକୁ ଦେଖି ଏଠାରେ କ୍ରୀଡ଼ା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣ ଚାଲିଛି। ଭୁବନେଶ୍ୱର ସମେତ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ହକି ସହିତ ଅନ୍ୟ କ୍ରୀଡ଼ା ଲାଗି ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି। ତେଣୁ ଆଗାମୀ ଦିନରେ କ୍ରୀଡ଼ାର ହବ୍ ପାଲଟିବାକୁ ଯାଉଛି ଶିଳ୍ପ ନଗରୀ ରାଉରକେଲା”, କହିଥିଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ସ୍ୱାଧୀନତା ଦିବସ ସମାରୋହରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝି ଓ ଡକ୍ଟର ଗୌରବମୟ ପ୍ରଧାନ ଏବଂ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।ରିଜର୍ଭ ପୋଲିସ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ପରେଡରେ ତିନୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ୨୦୪ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଲେପ୍ରୋସି କଲୋନୀର ୧୫ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।

ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ମହାନଗର ନିଗମ କମିସନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା କମିସନରଙ୍କ ଆବାସିକ କାର୍ଯ୍ୟାଳୟ, ରାଉରକେଲା ସ୍ମାର୍ଟ ସିଟି, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଏବଂ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କଠାରେ ପତାକା ଉତ୍ତୋଳନ କରିଥିଲେ।

Comment