ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟ ସରିବ
  • ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି
  • ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଉରକେଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି

ରାଉରକେଲା: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଦିନ ରାଉରକେଲା ଗସ୍ତରେ ଯାଇ ସେଠାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ୍ କ୍ରିଷ୍ଣା ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ।ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ୍ ଖେଳ ସହ ଆଥଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ କାର୍ଯ୍ୟ ବୁଲି ଦେଖିଛନ୍ତି।

ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସ ଉପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ୍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ ତଥା ମହାନଗର ନିଗମ କମିସନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ।ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ୍ ଟ୍ରାକ୍ ନିର୍ମାଣ କରାଯାଉଛି। ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି। ତେଣୁ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ ଏହାକୁ ଆଗାମୀ ୨୦୨୨ ମେ’ ମାସ ସୁଦ୍ଧା ଶେଷ କରାଯିବ।ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର୍ଯ୍ୟ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ରାଉରକେଲାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି। ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି।ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟ ବୁଲି ଦେଖିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର୍ଯ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌କୁ ଭୁବନେଶ୍ୱର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ। ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଚିତ କରାଇବ। ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ୍ ଟେନିସ୍ ‍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୩ଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ୍ ଟେନିସ୍ କୋର୍ଟ ରହିଛି। ଖେଳାଳିମାନଙ୍କ ଫିଟନେସ୍‍ ପାଇଁ ଅତ୍ୟାଧୁନିକ ଜିମର ମଧ୍ୟ ବ୍ୟବସ୍ଥା କରାଯାଉଛି। ସେହିପରି ଫୁଟବଲ ଖେଳ ସହ ଆଥଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି। ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ। ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସ ଉପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ୱଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରତିନିଧି ଦଳ ଆଜି ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ। ଏହି ଗସ୍ତ ବେଳେ ୫ଟି ସଚିବ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦିଆଯାଉ। ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ।

ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଆରଜିଏଚ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ପର୍ସୋନେଲ) ପି କେ ଶତପଥୀ, ଜିଏମ୍ (ପ୍ରୋଟୋକଲ) ପି କେ ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧକାରୀ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment