ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧିବଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ପୂଜାରୀବମ୍ବୁ ଗାଁରେ ଦେଖିବାକୁ ମିଳିଛି।

ଅନ୍ଧବିଶ୍ୱାସର ବଶଭର୍ତ୍ତୀ ହୋଇ ଗତ ୪ ମାସ ହେଲା ଘା’ ଯନ୍ତ୍ରଣା ଭୋଗୁଥିବା ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଉ ନାହାନ୍ତି ପରିବାର ଲୋକ। ଫଳରେ ହାତରୁ ଆରମ୍ଭ ହୋଇଥିବା ଘା’ ଏବେ ସାରା ଶରୀରକୁ ମାଡ଼ି ଗଲାଣି।

ପୂଜାରୀବମ୍ବୁ ଗାଁର ରାଜ୍ୟ ଜିଲାକାର। ବୟସ ୧୭ ବର୍ଷ। ଗତ ୪ ମାସ ତଳେ ରାଜ୍ୟଙ୍କ ହାତରେ ଏକ ଫୋଟକା ଭଳି ଘା’ ବାହାରିଥିଲା। କିଛି ଦିନ ପରେ ଫୋଟକା ସଂଖ୍ୟା ବଢ଼ିବା ପରେ ପରିବାର ଲୋକ ରାଜ୍ୟକୁ ଠାକୁରାଣୀ ଲାଗିଛି ବୋଲି ଭାବି ଝଡାଫୁଙ୍କା ଆରମ୍ଭ କଲେ। ଠିକ୍ ଚିକିତ୍ସା ଓ ମେଡିସିନ୍ ଅଭାବରୁ ଦୁଇ ହାତ ପାପୁଲି ସାରା ଫୋଟକା ଭର୍ତ୍ତି ହେବା ପରେ ମଧ୍ୟ ପରିବାର ଲୋକ ରାଜ୍ୟକୁ ମେଡିକାଲ୍ ନେବା ପାଇଁ ମନା କରି ଦେଇଥିଲେ। ରାଜ୍ୟଙ୍କ ମାଆ ଧାଇମଣି ଜିଲାକାରା ଗାଁ ଦିଶାରୀକୁ ଡାକି ଧୂପ, ଝୁଣା ଦେଇ ମନ୍ତ୍ର ପାଠ କରି ନିମ୍ବ ଡାଳରେ ହାତକୁ ଝାଡ଼ିଥିଲେ। ଏମିତି ଗତ ୪ ମାସ ହେଲା ଝଡାଫୁଙ୍କା ଚାଲିଥିବାରୁ ରାଜ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି।

ଶରୀର ସାରା ଘା’ ଫୋଟକା ଭର୍ତ୍ତି ହୋଇ ଯାଇଥିବାରୁ ରାଜ୍ୟ ଚଲାବୁଲା କରିପାରୁନାହାନ୍ତି। ଖଟିଆରେ ପଡ଼ି ରହିଛନ୍ତି। ମେଡିକାଲ୍ ନେଇ ଇଞ୍ଜେକସନ୍ ଦେଲେ ପିଲା ମରିଯିବ ଭାବି ପରିବାର ଲୋକ ଝଡାଫୁଙ୍କାକୁ ବିଶ୍ୱାସ କରି ଚାଲିଛନ୍ତି। ପ୍ରତିଦିନ ସଂଧ୍ୟାରେ ଝୁଣା ଦେଇ ନିମ୍ବପତ୍ରରେ ପୁରା ଶରୀରକୁ ଝାଡୁଛି ଦିଶାରି। ଘର ଭିତରକୁ ପରିବାର ଲୋକ କାହାକୁ ଛାଡୁନଥିବାରୁ ଗାଁର ଅଙ୍ଗନବାଡ଼ି କର୍ମୀ କିମ୍ବା ଆଶା କର୍ମୀ ଏ ସଂପର୍କରେ ଜାଣି ପାରୁନାହାନ୍ତି। ଆକ୍ରାନ୍ତ ରାଜ୍ୟଙ୍କ ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ମେଡିସିନ୍ ଅପେକ୍ଷା ଝଡାଫୁଙ୍କାକୁ ଅଧିକ ବିଶ୍ୱାସ କରୁଛନ୍ତି।

ତେବେ କେବଳ ରାଜ୍ୟଙ୍କ ପରିବାର ନୁହେଁ, ଏହି ଅଞ୍ଚଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ମେଡିକାଲ୍ ବଦଳରେ ଝଡାଫୁଙ୍କା ଉପରେ ହିଁ ଅଧିକ ନିର୍ଭର କରୁଛନ୍ତି ବୋଲି ଅନେକ ଲୋକ ମତ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାଜ୍ୟକୁ ଘରୁ ଉଦ୍ଧାର କରି ମେଡିକାଲ ଆଣି ଉନ୍ନତମାନର ଚିକିତ୍ସା ଯୋଗାଇଲେ ସେ ଅତି ଶୀଘ୍ର ସୁସ୍ଥ ହୋଇପାରନ୍ତେ ସାଧାରଣରେ ଦାବି ହେଉଛି।

Comment