ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଋତୁ ଓ ପାର୍ବଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ଏଣିକି ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ।

ରାଜ୍ୟରେ କୋଭିଡ ସଙ୍କଟ ଦୂର ହୋଇନଥିଲେ ମଧ୍ୟ ଏହାର ପ୍ରକୋପ ପୂର୍ବାପେକ୍ଷା କମିଥିବାରୁ ରାଜ୍ୟବ୍ୟାପୀ କୋଭିଡ କଟକଣାକୁ କୋହଳ କରାଯାଇଛି। କିନ୍ତୁ ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଆଖି ଦୃଶିଆ ଭାବେ କମିନଥିବାରୁ ପୁଣିଥରେ ଏଠାରେ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟତଃ ଆଗକୁ ପାର୍ବଣ ଓ ଶୀତ ଋତୁକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ସାମାଜିକ କାର୍ଯ୍ୟରେ ୨୦୦ ଲୋକଙ୍କୁ ଅନୁମତି ମିଳିଥିଲା। କିନ୍ତୁ ଏବେ ସଂଖ୍ୟା କମେଇ ୫୦ କରାଯାଇଛି। ରାଜଧାନୀର ୬୭ଟି ଓ୍ବାର୍ଡରେ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ନିୟମ ଉଲଙ୍ଘନ କଲେ ଆୟୋଜକ କିମ୍ବା ହୋଟେଲ ମାଲିକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜରିମାନା ଆଦାୟ କରାଯିବ।

ନୂଆ ଗାଇଡଲାଇନ

  • ବାହାଘର, ବ୍ରତଘର, ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି
  • ରୋଷେୟା, ପୂଜାରୀ, ବର, କନ୍ୟା, ଅତିଥୀ ସମସ୍ତଙ୍କୁ ମିଶାଇ ୫୦
  • ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ଆୟୋଜକମାନେ ଥର୍ମାଲ ସ୍କ୍ରିନିଙ୍ଗର ବ୍ୟବସ୍ଥା କରିବେ
  • କେବଳ ଖାଇବା ସମୟରେ ମାସ୍କ ଖୋଲିପାରିବ
  • କରୋନାର ଲକ୍ଷଣ ଥିଲେ ମଣ୍ଡପ ବା ହୋଟେଲକୁ ଯିବା ମନା
  • ୬୦ ବର୍ଷରୁ ଅଧିକ, ୧୦ବର୍ଷରୁ କମ୍, ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ କାର୍ଯ୍ୟକ୍ରମ ମନା
  • ସାମାଜିକ କାର୍ଯ୍ୟକ୍ରମରେ ପାନ, ଗୁଟ୍‌ଖା ଖାଇବା ଓ ଛେପ ପକାଇବା ନିଷେଧ

Comment