ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ଵରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୭୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ରହିଛନ୍ତି ୨୧୯ ଜଣ। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଭୁବନେଶ୍ଵରରୁ ରହିଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ବିଏମସି ପକ୍ଷରୁ ଭୁବନେଶ୍ଵରରେ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ସୋମବାର ଦିନ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ବିଏମସି। ଏଥିରେ ରାସ୍ତାକଡ଼ ଦୋକାନୀମାନଙ୍କୁ ଦୋକାନ ଆଗରେ ଭିଡ଼ ନଜମାଇବାକୁ ତାଗିଦ କରାଯାଇଛି। ଟିଫିନ ଷ୍ଟଲ, ଚା’ ଦୋକାନ, ଗୁପଚୁପ ଷ୍ଟଲ, ଦହିବରା ଷ୍ଟଲ, ଲସି, ଜୁସ୍ ଷ୍ଟଲ ଆଗରେ ଭିଡ଼ ନବଢ଼ାଇବାକୁ ଦୋକାନୀମାନଙ୍କୁ ତାଗିଦ କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେଲେ ପାର୍ସଲ ବ୍ୟବସ୍ଥା କରିବାକୁ ଦୋକାନୀମାନଙ୍କୁ କୁହାଯାଇଛି।

ଏହା ସହିତ ସପିଂ ମଲଗୁଡ଼ିକୁ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି। ପୂର୍ବଭଳି ମଲରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ଵପୂର୍ଣ୍ଣ କଥା ହେଲା ମଲରେ କୋଭିଡ କଟକଣା ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଲ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ ସ୍ପା ସେଣ୍ଟର ଏବଂ ସାଲୁନଗୁଡ଼ିକରେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅଡିଟୋରିଅମ, ସିନେମା ହଲ୍, ଥିଏଟରଗୁଡ଼ିକରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ଵର ବାସିନ୍ଦାଙ୍କୁ ମଧ୍ୟ କୋଭିଡର ସମସ୍ତ ନିୟମ ପାଳନ କରିବାକୁ କୁହାଯାଇଛି।

କୋଭିଡ ନିୟମ ପାଳନ ନକଲେ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ପୂର୍ବରୁ ଭୁବନେଶ୍ଵରରେ ମାସ୍କ ପରିଧାନ ନକଲେ ଫାଇନ ଦେବାକୁ ପଡ଼ିବ ବୋଲି ଚେତେଇ ଥିଲେ ବିଏମସି ମେୟର ସୁଲୋଚନା ଦାସ।

Tags: #Covid19 #CovidGuideline #BMC #Mask

Comment