ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ପ୍ରଦେଶ କୁମାର ଦିଗଲ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୨୮ ରାଙ୍କ୍‌ ରଖି ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଦେଶଙ୍କ ସଫଳତା ପରେ ଏବେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ପ୍ରଦେଶଙ୍କର ପିଲାଟି ଦିନରୁ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛା ଥିଲା। ପ୍ରଶାସନିକ ଅଧିକାରୀ ହୋଇପାରିଲେ ସେ ଜନଜାତି ତଥା ଆଦିବାସୀ ଲୋକଙ୍କ ସେବା କରିପାରିବେ ବୋଲି ଏହି କ୍ଷେତ୍ରକୁ ଆସିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କ ବଡ଼ଭାଇ ସୁନୀଲ ଦିଗଲ ତାଙ୍କୁ ପ୍ରେରିତ କରିଥିଲେ।

ପ୍ରଦେଶ ନାଗପୁରସ୍ଥିତ ଜାତୀୟ ଶିକ୍ଷାନୁଷ୍ଠାନ (ଏନଆଇଟି)ରେ ରସାୟନ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତରରେ ଡିଗ୍ରୀ ହାସଲ କରଛନ୍ତି। ଏହାପରେ ସେ ଦିଲ୍ଲୀରେ ରହି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଲାଗି ପ୍ରସ୍ତୁତି ହେଉଥିଲେ। ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଦିଲ୍ଲୀ ଛାଡ଼ି ଓଡ଼ିଶାକୁ ଫେରି ଆସିଥିଲେ।

ଏହାପରେ ସେ ଭୁବନେଶ୍ୱରରେ ରହି ପୁଣି ପ୍ରସ୍ତୁତି ଆରମ୍ଭ କରିଥିଲେ। ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଆଜି ସଫଳ ହୋଇଛନ୍ତି। ଆଗକୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଦେଶ।

Comment