ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ଅଗ୍ରଣୀ ତଥା ଅନ୍ତର୍ଜାତୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଏହାର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତୁ। ମୋ’ କଲେଜ ଅଭିଯାନ ଅଧୀନରେ ସମସ୍ତେ ଏକାଠି ହେଲେ ଆଗାମୀ ଦିନରେ ଏହି ସ୍ୱପ୍ନ ସମ୍ଭବ ହୋଇପାରିବ। ମଙ୍ଗଳବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗସ୍ତରେ ଆସି ଏକ ବୈଠକରେ ଏହି ଆହ୍ୱାନ ଦେଇଛନ୍ତି ମୋ’କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ। ତେଣୁ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ କଲେଜ’ସହ ଯୋଡ଼ି ହୋଇ ନିଜ ଶିକ୍ଷାନୁଷ୍ଠାନକୁ ନୂଆ ରୂପ ଦେବାରେ ଅଂଶୀଦାର ହୁଅନ୍ତୁ ବୋଲି ଆୟୋଜିତ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି।

‘ମୋ କଲେଜ’ଅଭିଯାନ ଏକ ଅଭିନବ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସମସ୍ତଙ୍କ ସହଯୋଗକ୍ରମେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀର୍ଘକାଳୀନ ବିକାଶ ସମ୍ଭବପର ହୋଇପାରିବ ବୋଲି କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଥିଲେ। ଏଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।“ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏକ ସୁବର୍ଣ୍ଣ ଇତିହାସ ରହିଛି। ଓଡ଼ିଶାରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ଅନୁଷ୍ଠାନର ଅବଦାନ ଅତୁଳନୀୟ। ଆଜିର ଦିନରେ ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ସାରା ବିଶ୍ୱରେ ଛାଇ ହୋଇ ରହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ପରିକଳ୍ପନା ହେଉଛି ମୋ’ କଲେଜ ଅଭିଯାନ। ତେଣୁ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ଅଭିଯାନ ସହ ଯୋଡ଼ି ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବିଶ୍ୱର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରିପାରିବେ” କହିଥିଲେ ଆକାଶ ଦାସନାୟକ।ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଂଘର ସଦସ୍ୟ ପ୍ରଫେସର ବିଜୟ ମିଶ୍ର ମଧ୍ୟ ନିଜର ମତାମତ ରଖିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ନୃପରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆୟୋଜିତ ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ମୋ’କଲେଜ ସଂଯୋଜକ ଥିବା ଚିନ୍ମୟ ପୁରୋହିତ, ଅନୁଷ୍ଠାନର ପୁରାତନ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ପ୍ରଫେସର ପ୍ରମିଳା ମିଶ୍ର, ପ୍ରଫେସର ବାସନ୍ତୀ ବିଶ୍ୱାଳ ଏବଂ ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟସ୍ତରୀୟ କମିଟିର ସଦସ୍ୟ ପ୍ରଫେସର ବିଶ୍ୱଜିତ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରାତନ ଛାତ୍ରସଂଘର ସଭାପତି ପ୍ରଫେସର ସୂର୍ଯ୍ୟ ନାୟକ ମଧ୍ୟ ସଭାରେ ଯୋଗ ଦେଇଥିଲେ।

Comment