ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟିଲ ସିଟି ରାଉରକେଲାର ଏକ ପ୍ରମୁ୍‌ଖ ପର୍ଯ୍ୟଟନସ୍ଥଳି ହନୁମାନ ବାଟିକା। ଏହାକୁ ରାଉରକେଲାର ଅନ୍ୟତମ ପରିଚୟ କହିଲେ ମଧ୍ୟ କିଛି ଭୁଲ ହେବନାହିଁ। କାରଣ ଏଠାରେ ଥିବା ୭୫ଫୁଟ ଉଚ୍ଚର ହନୁମାନଙ୍କ ମୂର୍ତ୍ତି ରାଜ୍ୟର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି। ଯାହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଇସ୍ପାତ ନଗରୀ ରାଉରକେଲାକୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ।

ଓଡ଼ିଶା ପର୍ଯ୍ୟଟନରେ ସ୍ଥାନ ପାଇଥିବା ହନୁମାନ ବାଟିକା ରାଉରକେଲା ସହରଠାରୁ ମାତ୍ର ୬ କିଲୋମିଟର ଦୂରରେ ଅଛିା ଏହି ବାଟିକା ୧୩ ଏକର ଜମିରେ ପରିବ୍ୟାପ୍ତ। ୭୫ ଫୁଟ ଉଚ୍ଚର ଏହି ବିରଳ ହନୁମାନ ମୂର୍ତ୍ତିକୁ ୧୯୯୪ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହାପରଠାରୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ହନୁମାନ ବାଟିକା।

ହନୁମାନ ବାଟିକାର ମନୋରମ ଶୋଭା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହି ବାଟିକାର ପ୍ରବେଶ ପଥରେ ବାଟ ମଙ୍ଗଳା, ବିନାୟକ, ସାରଳା ମନ୍ଦିର ରହିଛି। ବାଟିକା ପରିସରରେ ଆହୁରି ଅନେକ ଦେବା ଦେବୀ ତଥା ମା’ ଲକ୍ଷ୍ମୀ, ମହାପ୍ରଭୁ ଶ୍ରୀଜଗନ୍ନାଥ, ରାଧାକୃଷ୍ଣ, ମା’ ସନ୍ତୋଷୀ ଆଦି ପୂଜା ପାଆନ୍ତି। ଏଠାରେ ମଧ୍ୟ ଏକ ଆନନ୍ଦ ବଜାର ରହିଛି। ଯେଉଁଠି ପର୍ଯ୍ୟଟକମାନେ ବସି ମହାଆନନ୍ଦରେ ପ୍ରସାଦ ସେବନ କରିଥାନ୍ତି। ହନୁମାନ ବାଟିକାର ଏହି ଭକ୍ତିମୟ ପରିବେଶ ବାଟିକାର ଶୋଭାକୁ ଦ୍ବିଗୁଣିତ କରିଥାଏ। ତା’ସାଙ୍ଗରେ ବାଟିକା ପରିସରରେ ଥିବା ଦୋକାନରେ କିଣାବିକା ମଧ୍ୟ ବେଶ ଜମେ।

ବର୍ଷକ ବାର ମାସ ହନୁମାନ ବାଟିକାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ବାଟିକା ପରିସରରେ ଥିବା ପାର୍କ ଲୋକକଙ୍କୁ ବେଶ୍‌ ଆକର୍ଷିତ କରେ। ହନୁମାନ ବାଟିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି ଲୋକେ।

Comment