ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ଓଡ଼ିଶଲାଇଭ୍‌ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।

‘‘ନିଜ ନାଟକର ସେ ଥିଲା ନାୟକ। ଛୋଟ ମୋଟ ରୋଲ୍‌ ତା’କୁ ପୋଷାଏ ନି। ଖଣ୍ଡପଡ଼ାର ଗର୍ବ, ଓଡ଼ିଶାର ଗୌରବ। ସମ୍ବାଦରେ ତା’ ଚଉକିର ଉଚ୍ଚତା ଅଲଗା। ଲେଖାରେ ନିଆରା ଧାଡ଼ି ତିଆରି କରି ସେ ନାୟକ ଭଳି  ବଞ୍ଚିଲା ୫୮ବର୍ଷ। ଗଲାବେଳେ ଶେଷ ଶେଯରେ ବି ଛାଡ଼ିଗଲା ଗୋଟାଏ ନାୟକ ମୁହଁର ଛାପ’’ ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗ ପରେ ତାଙ୍କ ଉଦ୍ଦେଶ୍ୟରେ ଏହି ବାକ୍ୟ ଲେଖିଛନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର।

ଖାଲି ଦାଶ ବେନହୁର ନୁହଁନ୍ତି, ତାଙ୍କ ଭଳି କିଶୋରଙ୍କ କାର୍ଟୁନ ଓ କବିତାକୁ ଭଲ ପାଉଥିବା ଓଡ଼ିଶାର ହଜାର ହଜାର ପାଠକ ଆଜି ସ୍ତବ୍ଧ। କାରଣ ଯେଉଁଠି କଲମ ସିଧା ଚାଲିପାରେ ନାହିଁ, ତାଙ୍କ କାର୍ଟୁନର ବଙ୍କା ବାଣ ସେଇଠି ବିସ୍ଫୋରଣ ସୃଷ୍ଟି କରେ। ସମାଜର ଗହନ ଆଉ ଗମ୍ଭୀର କଥାକୁ ଦୁଇ ଧାଡ଼ିର ଶବ୍ଦରେ ସଜେଇବାର ବିଚକ୍ଷଣ ବିଦ୍ୟାର ଅଧିକାରୀ ଥିଲେ କିଶୋର ରଥ।

୫୮ ବର୍ଷ ବୟସରେ ହୃଦଘାତରେ ସୋମବାର କିଶୋର ରଥଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ଦୈନିକ ଖବର କାଗଜ ସମ୍ବାଦରେ ସେ କାର୍ଯ୍ୟରତ ଥିଲେ। ତାଙ୍କ ସାମାଲୋଚନାମୂଳକ କାର୍ଟୁନ ବେଶ୍‌ ଲୋକପ୍ରିୟ ହୋଇଥିଲା। ‘କଟାକ୍ଷ’ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ବିୟୋଗ ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

‘‘‘ସମ୍ବାଦ’ ପରିବାରର ଜଣେ ବହୁ ପୁରୁଣା ସଦସ୍ୟ ଥିଲେ କିଶୋର। ନିଜର ଲେଖା ଓ କାର୍ଟୁନ ମାଧ୍ୟମରେ ସମ୍ବାଦକୁ ସ୍ୱତନ୍ତ୍ର ପରିଚୟ ଦେବା ସହ ନିଜ ପାଇଁ ପରିଚୟ ହାସଲ କରଥିଲେ। ଖଣ୍ଡପଡ଼ା ଅଞ୍ଚଳର ପାରମ୍ପରିକ ଗୀତ, ବାଦ୍ୟ ଏବଂ ସଂସ୍କୃତିକୁ ଆଗକୁ ନେବା ପାଇଁ ସେ ସବୁବେଳେ ଚେଷ୍ଟିତ ଥିଲେ।  ଆଜି ତାଙ୍କ ବିୟୋଗରେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି’’, କହିଛନ୍ତି ଦୈନିକ ଖବରକାଗଜ ‘ସମ୍ବାଦ’ର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

୧୯୬୩ ମସିହାରେ ନୟାଗଡ଼, ଖଣ୍ଡାପଡ଼ାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତ ଥିଲେ। ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଚିତ୍ରଶିଳ୍ପୀ ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା। କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ର କବିତା ଜରିଆରେ ସେ ଲୋକଙ୍କ ପସନ୍ଦ ହୋଇପାରିଥିଲେ।

‘‘କାର୍ଟୁନ ମାଧ୍ୟମରେ କିଶୋର ରଥ ସାଂପ୍ରତିକ ଘଟଣାବଳୀକୁ ଅତି ଚମତ୍କାର ଭାବେ ପରିବେଷଣ କରୁଥିଲେ। ଦୈନିକ ଖବର କାଗଜ ‘ସମ୍ବାଦ’ରେ ତାଙ୍କର ‘କଟାକ୍ଷ’ ଅନେକଙ୍କ ପାଇଁ ପ୍ରେରଣା ପାଲିଟିଥିଲା। ସୂକ୍ଷ୍ମ ବିଚାର ଓ ବ୍ୟାଙ୍ଗଚିତ୍ର ଯୋଗୁଁ ଓଡ଼ିଶା ତାଙ୍କୁ ମନେ ରଖିବ ଓ ସେ ଓଡ଼ିଆ ସାମ୍ବାଦିକତା ଜଗତରେ ଅମର ରହିବେ’’, କହିଛନ୍ତି ଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

‘‘୫୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଗଲେ ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥ। ଏ ଦୁନିଆ ଛାଡ଼ି ଯିବାର ବୟସ ନଥିଲା। ଆମେ ଅଶୀ ଦଶକର ମଧ୍ୟଭାଗରେ ‘ସମ୍ବାଦ’ରେ ସାଙ୍ଗରେ କାମ କରୁଥିଲୁ। ସେ ମୋର ପ୍ରଥମ କାହାଣୀ ‘ଓଡ଼ିଶା ଓ ଅନନ୍ୟ ଗଳ୍ପ’ର୍ କଭର୍‌ ପେଜ୍‌ ଆଙ୍କିଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେଇ ପୁରୁଣା ସ୍ମୃତି ପୁଣିଥରେ ଜୀବିତ ହୋଇ ଉଠିଲା’’, ନିଜ ଫେସବୁକ୍‌ ପେଜ୍‌ରେ ଏଭଳି ଲେଖିଛନ୍ତି ଆଇଆଇଏମ୍‌ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ।

ଓଡ଼ିଶାର ସାହିତ୍ୟ, ଭାଷା ଓ ସାମ୍ବାଦିକ ଜଗତ ପାଇଁ କିଶୋର ରଥଙ୍କ ବିୟୋଗ ଅପୁରଣୀୟ କ୍ଷତି। ଖଣ୍ଡପଡ଼ାର ଢୁମ୍ପା ସଙ୍ଗୀତର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ପ୍ରୟାସ ମଧ୍ୟ ଚୀର ସ୍ମରଣୀୟ ହୋଇ ରହିବ।

Comment