ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ଡିଗ୍ରୀ କଲେଜ ଶିଳ୍ପାଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଅପାର ସମ୍ଭାବନା ରହିଛି। ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ଏହାର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। କଲେଜର ପୁରାତନ ଛାତ୍ରଛାତ୍ରୀମାନେ ଏଥିପାଇଁ ସଂକଳ୍ପବଦ୍ଧ ହୋଇ ଆଗେଇ ଆସନ୍ତୁ। ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଶୁକ୍ରବାର ଦିନ ପାରାଦୀପ ଡିଗ୍ରୀ କଲେଜ ପରିଦର୍ଶନ ବେଳେ ଏଭଳି ଆହ୍ଵାନ ଦେଇଛନ୍ତି।

ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ପାରାଦୀପ ଡିଗ୍ରୀ କଲେଜରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ରୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଉଦାହରଣ ଦେଇଥିଲେ। ଡାକ୍ତର ପଣ୍ଡା ନିଜେ ପାଠ ପଢ଼ିଥିବା ଶିକ୍ଷାନୁଷ୍ଠାନର ବିକାଶ ପାଇଁ କିପରି ତାଙ୍କ ଜୀବନବ୍ୟାପୀ ଆୟରୁ ମୁକ୍ତହସ୍ତରେ ସହଯୋଗ କରିଥିଲେ, ସେ କଥା କହି ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଭରିଥିଲେ ଆକାଶ ଦାସନାୟକ।ତେଣୁ ପ୍ରତି ମାସରେ ପୁରାତନ ଛାତ୍ରଛାତ୍ରୀମାନେ ସଂଗଠିତ ହୋଇ ନିଜ ପ୍ରିୟ କଲେଜକୁ ସହଯୋଗର ହାତ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗରେ କଲେଜରେ ଏକ ମିନି ଷ୍ଟାଡିୟମ୍ ଖୁବ୍ ଶ୍ରୀଘ୍ର ନିର୍ମାଣ କରାଯିବ ବୋଲି ମୋ କଲେଜ ଅଧ୍ୟକ୍ଷ ସୂଚନା ଦେଇଥିଲେ।

ଆୟୋଜିତ ସଭାରେ ସ୍ଵାଗତ ଭାଷଣ ଦେଇ ଅଧ୍ୟକ୍ଷା ଡକ୍ଟର ସସ୍ମିତା ଶତପଥୀ କଲେଜର ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପାରାଦୀପ ଡିଗ୍ରୀ କଲେଜର ବିକାଶରେ ବିଶେଷ ସହାୟକ ହୋଇପାରିବ ମୋ କଲେଜ ଅଭିଯାନ। ଏହି ଅଭିଯାନ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମରେ ପାରାଦୀପ ଡିଗ୍ରୀ କଲେଜର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ତଥା ପାରାଦୀପ ଡିଗ୍ରୀ କଲେଜର ପୁରାତନ ଛାତ୍ର ଅକ୍ଷୟ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

୧୯୭୫ ମସିହାରେ ପ୍ରତିଷ୍ଠା କରାଯାଇଥିବା ପାରାଦୀପ ଡିଗ୍ରୀ କଲେଜ ସ୍ଥାନୀୟ ଅଞ୍ଚଳ ପାଇଁ ଉଚ୍ଚଶିକ୍ଷାର ଏକ ପ୍ରମୁଖ ଅନୁଷ୍ଠାନ ହୋଇ ରହିଆସିଛି। ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ରାଜ୍ୟର ଶିକ୍ଷା ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦଖଲ କରିପାରିବ।

Comment