ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ। ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପୀ ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ତାଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।

୧୮୬୩ରେ କୋଲକାତାରେ ଜନ୍ମ ହୋଇଥିଲେ ବିବେକାନନ୍ଦ। ତାଙ୍କ ପିଲାବେଳର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ। କେହି କେହି ତାଙ୍କୁ ବିଲେ ବି ଡାକୁଥିଲେ।

ପିଲା ବେଳେ ବିଲେ ବଡ଼ ଅଶାନ୍ତ ଥିଲେ। ଏଥିପାଇଁ ତାଙ୍କ ମା’ କହୁଥିଲେ, ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି ଯେ, ସେ ଗୋଟିଏ ଭୂତ ପଠାଇ ଦେଲେ। ମା’ଙ୍କଠାରୁ ରାମାୟଣ ମହାଭାରତ ଶୁଣିବା ମାଧ୍ୟମରେ ବିବେକାନ୍ଦଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍‌ ଭଲ ପାଉଥିଲେ। ସାଙ୍ଗମାନଙ୍କ ସହ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ତାଙ୍କର ଅନ୍ୟତମ ପ୍ରିୟ ଖେଳ।

ଦିନେ ବିଲେ ସାଙ୍ଗମାନଙ୍କ ସହ ଧ୍ୟାନର ଖେଳ ଖେଳୁଥିଲେ, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା। ସାଙ୍ଗମାନେ ସମସ୍ତେ ଦୌଡ଼ି ପଳାଇଲେ। କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ ଥିଲେ। ଚାରିଆଡ଼େ ଚହଳ ପଡ଼ିଗଲା। ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ ସେଠାରୁ ଅଣାଯାଇଥିଲା।

ବିବେକାନନ୍ଦଙ୍କ ବାପା ବିଶ୍ୱନାଥ ଦତ୍ତ କୋଲକାତା ହାଇକୋର୍ଟର ଓକିଲ ଥିଲେ। ତାଙ୍କ ମା’ ଭୁବେନଶ୍ୱରୀ ଦେବୀ ଆଧ୍ୟାତ୍ମିକ ବିଚାର ରଖୁଥିବା ମହିଳା ଥିଲେ। ୧୮୮୧ ମସିହା ନଭେମ୍ବର ମାସରେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ, ବିବେକାନନ୍ଦ ଜୀବନ ଧାରାକୁ ପରିବର୍ତ୍ତିତ କରିଦେଇଥିଲା।

ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୫ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା’ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ।

ବିବେକାନନ୍ଦ ନିଜର ଶେଷ ଜୀବନ ବେଲୁଡ଼ ମଠରେ ଅତିବାହିତ କରିଥିଲେ। ଏକଦା ସନ୍ଧ୍ୟାରେ ବେଲୁଡ ମଠର ଧ୍ୟାନ କଲାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ବୟସ ଥିଲା ୩୯ ବର୍ଷ।ବିବେକାନନ୍ଦଙ୍କ କିଛି ବିଚାରଧାରା

୧- ଯେଉଁ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ କିଛି ଶିଖ, ଅନୁଭବ ହିଁ ସର୍ବଶ୍ରେଷ୍ଠ ଶିକ୍ଷକ।

୨- ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା।

୩- ପଢ଼ିବା ପାଇଁ ଜରୁରୀ ଏକାଗ୍ରତା, ଏକାଗ୍ରତା ପାଇଁ ଜରୁରୀ ଧ୍ୟାନ।

୪- ପବିତ୍ରତା, ଧୈର୍ଯ୍ୟ, ଉଦ୍ୟମ – ତିନି ଗୁଣ ମୁଁ ଏକା ସଙ୍ଗରେ ଚାହେଁ।

୫- ଉଠ ଏବଂ ଜାଗ୍ରତ ହୁଅ, ସେ ପର୍ଯ୍ୟନ୍ତ ଅଟକ ନାହିଁ ଯେଉଁ ପର୍ଯ୍ୟନ୍ତ ତୁମେ ତୁମ ଲକ୍ଷ୍ୟ ହାସଲ ନକରିଛ।

୬- ଗୋଟିଏ ସମୟରେ ଗୋଟିଏ କାମ କର, ସେହି କାମକୁ ମନ ଦେଇ କର।

୭- ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଉପରେ ବିଶ୍ୱାସ ନକରିପାରିବ ସେ ଯାଏଁ ତୁମେ ଭଗବାନଙ୍କୁ ବିଶ୍ୱାସ କରିପାରିବ ନାହିଁ।

୮- କେହି ତୁମର ନିନ୍ଦା କରନ୍ତୁ ବା ପ୍ରଂଶସା, ନ୍ୟାୟ ପଥରୁ କେବେ ଓହର ନାହିଁ।

Comment