ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ମିଶ୍ରଣ କରାଯାଇଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏବେ ଟୁଇଟର୍ ଓ୍ଵାର ଆରମ୍ଭ ହୋଇଛି। ଅମର ଯବାନ ଜ୍ୟୋତି ସ୍ଥାନାନ୍ତରକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହ ବିଜେପିକୁ କଟାକ୍ଷ କରାଯାଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗଟେ କରିଛନ୍ତି।

‘‘ଅମର ଯବାନ ଜ୍ୟୋତିର ସ୍ଥାନାନ୍ତର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୁଃଖର କଥା ଆମ ବୀର ଜବାନମାନଙ୍କ ଉଦ୍ଦେଶ୍ୟରେ ପ୍ରଜ୍ଜ୍ଵଳିତ ହେଉଥିବା ଆମର ଜ୍ୟୋତିକୁ ଆଜି ଲିଭାଇ ଦିଆଗଲା। କିଛି ଲୋକ ଦେଶ ପାଇଁ ଯବାନଙ୍କ ବଳିଦାନର ମହତ୍ଵ ବୁଝନ୍ତି ନାହିଁ। ଆମେ ପୁନର୍ବାର ଆମ ସୈନିକମାନଙ୍କ ପାଇଁ ଅମର ଯବାନ ଜ୍ୟୋତି ପ୍ରଜ୍ଜ୍ଵଳିତ କରିବୁ’’, କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

 ଅନ୍ୟପକ୍ଷରେ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରକୁ ରାହୁଲ ଗାନ୍ଧି ଅମର ଯବନ ଜ୍ୟୋତିର ବିଲୟ ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେପି ନେତା ନରେଶ ବାଲ୍ୟନ କହିଛନ୍ତି, ଅମର ଜବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତର କରାଯାଇଛି। ଇଣ୍ଡିଆ ଗେଟରେ ଜଳୁଥିବା ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ଅମର ଚକ୍ରରେ ରହିଥିବା ଅମର ଜବାନ ଜ୍ୟୋତିରେ ମିଶ୍ରଣ କରାଯାଇଛି।

ସେହିପରି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପକ୍ଷରୁ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରକୁ ଘୋର ବିରୋଧ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ‘‘ଯିଏ ନୋଟ ବନ୍ଦି ଭଳି ପଦକ୍ଷେପ ନେଇ କୋଟି କୋଟି ଯୁବପିଢ଼ି ଏବଂ ବ୍ୟବସାୟିଙ୍କ ଜୀବନ ଅନ୍ଧାରକୁ ଠେଲି ଦେଇଛି, ୫୦ ବର୍ଷ ଧରି ଇଣ୍ଡିଆ ଗେଟରେ ଜଳୁଥିବା ଅମର ଯବାନ ଜ୍ୟୋତି ଲିଭିଗଲେ ତା’ର କିଛି ଫରକ ପଡ଼ିବ ନାହିଁ’’।

‘‘ଅମର ଜବାନ ଜ୍ୟୋତି ବହ୍ନି ୧୯୭୧ ମସିହାରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଜଳୁଥିଲା। ଏହାକୁ ଲିଭାଇ ଦିଆଯିବା ଆମ ବୀର ଯବାନଙ୍କ ପ୍ରତି ଘୋର ଆପମାନ ସଦୃଶ୍ୟ। ବିଜେପି ସରକାର ଅମର ଯବାନ ଜ୍ୟୋତିକୁ ସବୁ ଦିନ ପାଇଁ ଲିଭାଇ କେଉଁଭଳି ଦେଶ ଭକ୍ତି ଦେଖାଉନ୍ତି ତାହା ସ୍ପଷ୍ଟ ଅନୁମେୟ’’, କହିଛନ୍ତି ଆରଜେଡି ନେତା ଡକ୍ଟର ଅଖିଳେଶ ପ୍ରସାଦ ସିଂ।

ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ସିଧା ବିଜେପି ସରକାରଙ୍କୁ ଟାର୍ଗଟେ କରିଥିବାବେଳେ ନିଜ ସପକ୍ଷରେ ମତ ରଖିଛି ବିଜେପି। ‘‘ଅମର ଯବାନ ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ କରାଯାଇଛି। ମୋଦୀ ସରକାର ସହିଦଙ୍କ ଅପମାନ କରିନାହାନ୍ତି ବରଂ ଅମର ଯବାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି’’, କହିଛନ୍ତି ବିଜେପି ନେତା ବରୁଣ ପୁରୀ।

‘‘ଇଣ୍ଡିଆ ଗେଟରୁ ଅମର ଯବାନ ଜ୍ୟୋତିର ବହ୍ନିକୁ ନେଇ ବିଭ୍ରାନ୍ତ କରାଯାଉଛି। ବହ୍ନିକୁ ଲିଭା ଯାଇନାହିଁ ବରଂ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ମିଶ୍ରଣ କରାଯାଇଛି। ଇଣ୍ଡିଆ ଗେଟ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବଳିଦାନ ଦେଇଥିବା ଯବାନଙ୍କ ସ୍ମୃତିରେ ସ୍ଥାପନ କରାଯାଇଥିଲା। ଅମର ଯବାନ ଜ୍ୟୋତିର କେବଳ ସ୍ଥାନ ପରିବର୍ତ୍ତନ କରାଯାଇଛି। ରାହୁଲ ଗାନ୍ଧି ସହିଦ ଯବାନଙ୍କୁ ନେଇ କେବଳ ରାଜନୀତି କରୁଛନ୍ତି’’, କହିଛନ୍ତି ବିଜେପି ନେତା ସଞ୍ଜୁ ବର୍ମା।

Comment