ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କର ପରଲୋକ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସାନଖେମୁଣ୍ଡି ରାଜ ଉଆସ ପରିସରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଉଦୟ ନାରାୟଣ ଦେବ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ବିହଙ୍ଗ ବିଶେଷଜ୍ଞ ଭାବେ ମଧ୍ୟ ପରିଚିତ ଥିଲେ। ପକ୍ଷୀଙ୍କୁ ନେଇ ସେ ଅନେକ ପୁସ୍ତକ ରଚନା କରିଛନ୍ତି। କିଛି ଦିନ ତଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ରଚିତ ପୁସ୍ତକ ‘ବିହଙ୍ଗ ସଂହିତା’କୁ ଉନ୍ମୋଚନ କରିଥିଲେ।

୧୯୩୫ ମସିହା ଅକ୍ଟୋବର ୨୦ ତାରିଖରେ ସାନଖେମୁଣ୍ଡି ରାଜ ପରିବାରରେ ଉଦୟ ନାରାୟଣ ଦେବ ଜନ୍ମ ଗ୍ରହଣ କରିଥିଲେ। ଯୁବ ବୟସରୁ ସେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଜନସେବା ପ୍ରତି ଆଗ୍ରହ ରାଜନୀତି କ୍ଷେତ୍ରରେ ପାଦ ଦେବାକୁ ତାଙ୍କୁ ବାଟ ଦେଖାଇଥିଲା। ତିନି ତିନି ଥର ୧୯୭୪, ୧୯୭୭ ଏବଂ ୧୯୮୦ ମସିହାରେ ସେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ। ଉଦୟ ନାରାୟଣ ଦେବଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Comment