ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ହିଜାବକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ସାରା ଦେଶରେ ହିଜାବ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି। ଏହି ବିବାଦ ପରେ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉଫୁଯିଛି। ପରିସ୍ଥିତି କୁ ଦେଖି ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ତିନିଦିନ ପାଇଁ ବନ୍ଦ ରଖିବାକୁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। 

ଗତ ଜାନୁଆରି ମାସରେ କର୍ଣ୍ଣାଟକ ଉଡୁପିର ପ୍ରି ୟୁନିଭର୍ସିଟି ମହିଳା କଲେଜରେ ହିଜାବକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମୁସଲମାନ ସମ୍ପ୍ରଦୟର ୬ ଜଣ ଛାତ୍ରୀ କଲେଜକୁ ହିଜାବ ପିନ୍ଧି ଆସିଥିଲେ। ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଥିଲା। କଲେଜର କିଛି ଛାତ୍ର ଗେରୁଆ ସ୍କାର୍ଫ ଧାରଣ କରି ହିଜାବକୁ ବିରୋଧ କରିଥିଲେ। ଏହିଠାରୁ ହିଜାବ ବିବାଦର ସୂତ୍ରପାତ ହୋଇଥିଲା।

ଏହି ବିବାଦ ଏବେ କର୍ଣ୍ଣାଟକରେ ସୀମିତ ହୋଇ ରହିନାହିଁ। ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଦେଶ ଡେଇଁ ବିଦେଶରେ ହିଜାବ ସପକ୍ଷବାଦୀ ଏହି ଘଟଣାକୁ ନେଇ ବିଷୋଦଗାର କରିବାକୁ ଲାଗିଲେଣି। ହିଜାବ ବିବାଦ ଘଟଣାରେ ପାକିସ୍ତାନ ସରକାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଉଡ୍ଡୁପି କଲେଜ ପରିସର ଅଶାନ୍ତ

କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସବୁ ସ୍କୁଲ ଓ କଲେଜ ଗତ ସୋମବାର ଖୋଲିଥିଲା। କିଛି ଛାତ୍ରୀ ହିଜାବ ପିନ୍ଧି କଲେଜକୁ ଆସିଥିଲେ। କିନ୍ତୁ ସେମାନଙ୍କୁ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ଦିଆଯାଇନଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏହା ପରେ ମଙ୍ଗଳବାର କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାର ମଣିପାଲ ସ୍ଥିତ ଏମଜିଏମ କଲେଜକୁ କିଛି ମୁସଲମାନ ସମ୍ପ୍ରଦାୟର ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ।

ହିଜାବ ପରିଧାନକୁ ବିରୋଧ କରି କଲେଜର କିଛି ଛାତ୍ରଛାତ୍ରୀ ବେକରେ ଗେରୁଆ ଗାମୁଛା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ। ଅନ୍ୟ ପଟେ ହିଜାବ ପିନ୍ଧି ଥିବା ଛାତ୍ରୀମାନେ ମଧ୍ୟ ପାଲଟା ବିରୋଧ ପ୍ରଦର୍ଶନ କରିଥିଲେ। ପରସ୍ପର ପରସ୍ପର ବିରୋଧୀ ନାରା ଦେବାକୁ ଲାଗିଲେ। ଏହା ଧୀରେ ଧୀରେ ମୁହାଁମୁହିଁ ପରିସ୍ଥିତି ପର୍ଯ୍ୟନ୍ତ ଗଲା। ପରିସ୍ଥିତି ବିଗିଡ଼ିବା ଦେଖି କଲେଜ କର୍ତ୍ତୃପକ୍ଷ କଲେଜ ଗେଟରେ ତାଲା ପକାଇ ଦେଇଥିଲେ। ଉଭୟ ଗୋଷ୍ଠୀକୁ କଲେଜ ପକ୍ଷରୁ ବହୁତ ବଝାସୁଝା କରାଯାଇଥିଲେ ମଧ୍ୟ ଦୁଇ ଗୋଷ୍ଠୀ ନିଜ ନିଜ ଜିଦରେ ଅଡ଼ି ରହିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଲେଜ ପରିସରରେ ପୋଲିସ ମୁତୟନ ହୋଇଥିଲେ।

ହିଜାବ ବନାମ ଗେରୁଆ ସ୍କାର୍ଫ

ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ କରିବା ଦାବିରେ ଗତ ମଙ୍ଗଳବାର ଶିବମୋଗାର କଲେଜର କିଛି ଛାତ୍ର ହାତରେ ଗେରୁଆ ପତାକା ଏବଂ ସ୍କାର୍ଫ ପିନ୍ଧି ଜୟ ଶ୍ରୀରାମ ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। ହିଜାବୁକ ସମର୍ଥନ କରୁଥିବା ଗୋଷ୍ଠୀ ଏବଂ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପର ଉପରକୁ ଢ଼େଲା ପଥର ମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା।

କେବଳ ଏତିକିରେ ବିବାଦ ଅଟକି ଯାଇନି, ହରିହର ଏବଂ ଦାଭେଙ୍ଗେରେରେ ହିଜାବ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ଆନ୍ଦୋଳନକାରୀ ଗୋଷ୍ଠୀ ପରସ୍ପରକୁ ଢ଼େଲା ପଥର ଯିଏ ଯାହା ପାରିଲା ଫିଙ୍ଗିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ ବ୍ୟବହାର କରାଯାଇଥିଲା।

ହିଜାବ ସମର୍ଥନରେ ବ୍ଲ୍ୟୁ ସ୍କାର୍ଫ ଗୋଷ୍ଠୀ

ଛାତ୍ରୀମାନେ ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବା ଘଟଣାକୁ ନେଇ ବିବାଦ ଘନଉଥିବାବେଳେ କିଛି ଛାତ୍ର ଗେରୁଆ ସ୍କାର୍ଫ ପିନ୍ଧି କଲେଜଗୁଡ଼ିକରେ ପ୍ରବେଶ ହିଜାବର ବିରୋଧ କରୁଛନ୍ତି। ଏବେ ଜନ୍ମ ନେଇଛି ହିଜାବ ସମର୍ଥନକାରୀ ବ୍ଲ୍ୟୁ ସ୍କାର୍ଫ ଗୋଷ୍ଠୀ। ‘ଜୟ ଭୀମ’ ସ୍ଲୋଗାନ ଦେଇ ଏହି ଗୋଷ୍ଠୀ ଶିକ୍ଷାନୁଷ୍ଠାନକୁ ପ୍ରବେଶ କରିବା ସହ ଶିକ୍ଷାନୁଷ୍ଠାକୁ ହିଜବ ପିନ୍ଧି ଆସିବାକୁ ଅନୁମତି ଦେବାକୁ ଦାବି କରୁଛନ୍ତି।

ହିଜାବ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ଦୁଇଭାଗ ହୋଇ ପରସ୍ପରକୁ ବିରୋଧ କରୁଛନ୍ତି। କର୍ଣ୍ଣାଟକରେ କିଛି ସ୍ଥାନରେ ଚିକମଗଲୁରର ଆରଡିଏସଜି କଲେଜର ଛାତ୍ରମାନେ ହିଜାବକୁ ସମର୍ଥନ କରି ନୀଳ ସ୍କାର୍ଫ ପରିଧାନ କରି ‘ଜୟ ଭୀମ’ ନାରା ଦେଇ ବିକ୍ଷୋଭକୁ ଓହ୍ଲାଇଛନ୍ତି।

ହିଜାବ ବିବାଦକୁ ନେଇ ମନ୍ତବ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ହିଜାବ ବିବାଦକୁ ନେଇ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ଜାରି ରହିଛି। ଏହା ଦ୍ଵାରା ରାଜ୍ୟର ସାମ୍ପ୍ରଦାୟିକ ସଦଭାବନାକୁ ବିଗାଡ଼ିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।

“ଦେଶ ଭିତରେ କିଛି ଲୋକ ଦେଶର ସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ନମାଜ ପଢ଼ିବା, ହିଜାବ ପିନ୍ଧିବା, ହୋମ କରିବା କିମ୍ବା ଆଉ କିଛି କରିବା ଗୋଟିଏ ପ୍ରକାର ସାମାଜିକ ସ୍ଥିତି ବିଗାଡ଼ିବାର ପ୍ରୟାସ। ଏଇ ଭାରତ। ସର୍ବଧର୍ମ ସଦଭାବନାକୁ ଆଧାର ଭାରତ ଚାଲେ। ଭାରତକୁ ଇସଲାମିକ ଷ୍ଟେଟ କରିବାର ମାନସିକତାକୁ ଆମେ ପୁରା ହେବାକୁ ଦେବୁ ନାହିଁ। ଭାରତ ସର୍ବଦା ଭାରତ ହିଁ ରହିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

ହିଜାବ ବିବାଦକୁ ନେଇ ପାକିସ୍ତାନ ବୈଦେଶୀକ ମନ୍ତ୍ରୀଙ୍କ ବିଷୋଦଗାର

ହିଜାବ ମାମଲା ଭାରତ ଭିତରେ ସୀମିତ ହୋଇ ରହିନାହିଁ। ଏହି ବିବାଦରେ ମୁଣ୍ଡ ପୁରାଇଛି ପାକିସ୍ତାନ। କର୍ଣ୍ଣାଟକରେ ମୁଣ୍ଡ ଟେକିଥିବା ହିଜାବ ବିବାଦରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରୁଛି ପାକିସ୍ତାନ। ପାକିସ୍ତାନର ବୈଦେଶୀକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ହିଜାବ ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। କ୍ୟୁରେସି କହିଛନ୍ତି ମୁସଲିମ ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଅର୍ଥ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିବା। ମୁସଲମାନମାନଙ୍କୁ ଦମନ କରିବାକୁ ଭାରତରେ ଷଡ଼ଯନ୍ତ୍ର କରାଯାଉଛି।

ଏହି ଘଟଣା ଉପରେ ମଲାଲା ୟୁସୁଫଜାଇ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, “ହିଜାବ ପିନ୍ଧିଥିବା ଝିଅମାନଙ୍କୁ ସ୍କୁଲକୁ ଯିବାକୁ ଅନୁମତି ନଦେବା ଏକ ଦୁଃଖର ବିଷୟ। କମ୍ କିମ୍ବା ଅଧିକ କପଡ଼ା ପିନ୍ଧିଲେ ଝିଅମାନଙ୍କୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ନିଜକୁ ସମ୍ପୂର୍ଣ୍ଣ ଘୋଡେଇ ହେବାରେ ବି ଅସୁବିଧା ହେଉଛି”। କେବଳ ମଲାଲା ନୁହଁନ୍ତି ପାକିସ୍ତାନରୁ ଶହ ଶହ ସଂଖ୍ୟାରେ ହିଜାବକୁ ନେଇ ଟ୍ଵିଟ ପୋଷ୍ଟ ଆସିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here